ଡିସେମ୍ବର ସୁଦ୍ଧା ସମସ୍ତେ ପାଇବେ ଟିକା ? ଜାଣନ୍ତୁ ସୁପ୍ରିମକୋର୍ଟରେ କ'ଣ କହିଛନ୍ତି କେନ୍ଦ୍ର ସରକାର
ଆସନ୍ତା ଡିସେମ୍ବର 31 ତାରିଖ ସୁଦ୍ଧା ଦେଶର ସମସ୍ତ 18 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଟିକାକରଣ କରାଯିବ । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଜଣାଇଛନ୍ତି
ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର 31 ତାରିଖ ସୁଦ୍ଧା ଦେଶର ସମସ୍ତ 18 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଟିକାକରଣ କରାଯିବ । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଜଣାଇଛନ୍ତି । ଜୁଲାଇ 31 ତାରିଖ ସୁଦ୍ଧା 51.6 କୋଟି ଡୋଜ୍ ଟିକାକରଣ କରାଯିବ ବୋଲି ସରକାର କହିଛନ୍ତି । ସେହିପରି ମାଗଣା ଟିକାକରଣ ଅଭିଯାନକୁ ପୂରା କରିବା ଲାଗି ଆହୁରି 135 କୋଟି ଡୋଜ୍ ଟିକାର ବ୍ୟବସ୍ଥା କରାଯାଇଛି ।
କେନ୍ଦ୍ର ସରକାର କହିଛନ୍ତି ଯେ ଦେଶରେ 18 ବର୍ଷରୁ ଉର୍ଦ୍ଧ୍ୱ ବୟସର ପ୍ରାୟ 93-94 କୋଟି ଲୋକ ଅଛନ୍ତି । ସେମାନଙ୍କୁ ଦୁଇଟି ଡୋଜ ଟିକା ଦେବାକୁ ହେଲେ ମୋଟ 186-188 କୋଟି ଡୋଜ୍ ଟିକା ଦରକାର । ଜୁଲାଇ 31 ତାରିଖ ସୁଦ୍ଧା ଯେହେତୁ 51.6 କୋଟି ଡୋଜ୍ ଟିକା ଦିଆସରିଥିବ, ସେଥିପାଇଁ ଆଉ 135 କୋଟି ଡୋଜ ଟିକା ଦରକାର ପଡିବ।

51.6 କୋଟି ଡୋଜ୍ ଟିକା ପାଇଁ ସରକାରଙ୍କୁ 5803 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ଏହି ଟିକା ମଧ୍ୟରେ ରହିଛି 38.6 କୋଟି ଡୋଜ୍ କୋଭିସିଲ୍ଡ, 11 କୋଟି ଡୋଜ୍ କୋଭାକ୍ସିନ ଏବଂ 2 କୋଟି ସ୍ପୁଟନିକ-ଭି ରହିଛି ।
ସେପଟେ ଡିସେମ୍ବର ସୁଦ୍ଧା ସରକାର 50 କୋଟି କୋଭିସିଲ୍ଡ, 40 କୋଟି କୋଭାକ୍ସିନ, 30 କୋଟି ବାୟୋ-ଇ, 5 କୋଟି ଜାୟଡସ କାଡିଲା ଏବଂ 10 କୋଟି ସ୍ପୁଟନିକ-ଭି ଏଭଳି ମୋଟ 135 କୋଟି ଡୋଜ୍ ଟିକା ଆଣିବାକୁ ବ୍ୟବସ୍ଥା କରିଛନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ କେତେକ ଟିକା ପରୀକ୍ଷାମୂଳକ ପର୍ଯ୍ୟାୟରେ ରହିଛି । ଆସନ୍ତା ଡିସେମ୍ବର ବେଳକୁ ସେହି ଟିକା ମଧ୍ୟ ଜରୁରୀକାଳୀନ ବ୍ୟବହାର ଲାଗି ପ୍ରସ୍ତୁତ ହୋଇଯିବ । ଏଥିସହିତ ସରକାର ବିଦେଶରୁ ଫାଇଜର, ଜନସନ ଆଣ୍ଡ ଜନସନ ଏବଂ ମଡେର୍ଣ୍ଣା ଟିକା ମଧ୍ୟ ଆଣିବାକୁ ପଦକ୍ଷେପ ନେଉଥିବା ଜଣାପଡିଛି ।












Click it and Unblock the Notifications