ମମତାଙ୍କ ଚିଠିର ଜବାବ ଦେଲା କେନ୍ଦ୍ର, କହିଲା ପଶ୍ଚିମବଙ୍ଗରେ....
କିଛି ଦିନ ପୂର୍ବରୁ କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖିଥିଲେ । ସେ ଚିଠିରେ ଉଲ୍ଲେଖ କରିଥିଲେ ଯେ ସାରା ଦେଶରେ ଦୈନିକ ହାରାହାରି ୯୦ଟି ଦୁଷ୍କର୍ମ ମାମଲା ଘଟୁଛି। ଏଭଳି ଘୃଣ୍ୟ କାର୍ଯ୍ୟ ସାରା ଦେଶପ୍ରତି ଲଜ୍ଜାଜନକ ସ୍ଥିତି ସୃଷ୍ଟି କରୁଛି।
ଏଭଳି କାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏଭଳି ଘୃଣ୍ୟ କାର୍ଯ୍ୟକୁ ଦୃଢ଼ ଦମନ ପାଇଁ କଡ଼ା ଆଇନ ଜରୁରୀ ବୋଲି ଚିଠିରେ ଉଲ୍ଲେଖ କରିଥିଲେ । ତ୍ୱରିତ ନ୍ୟାୟ ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ଆଇନ ଆଣୁ ବୋଲି ମମତା ଦାବି କରିଛନ୍ତି। ସେହିଭଳି ବିଚାର ପ୍ରକ୍ରିୟା ୧୫ ଦିନରେ ସାରିବାକୁ ଆଇନରେ ବ୍ୟବସ୍ଥା କରାଯାଉ ବୋଲି ମମତା ଚିଠିରେ ଲେଖିଥିଲେ ।
ଆଉ ମମତାଙ୍କ ଏହି ଚିଠିରେ ଜବାବ ଦେଇଛି କେନ୍ଦ୍ର । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବେଙ୍ଗଲ ପାଇଁ ୧୨୩ଟି ଫାଷ୍ଟ ଟ୍ରାକ କୋର୍ଟର ବ୍ୟବସ୍ଥା କରାଯାଇଛି। ଦୁଷ୍କର୍ମ ଓ ଶିଶୁ ନିର୍ଯାତନାର ଶୁଣାଣି ପାଇଁ ଏତେ ସଂଖ୍ୟକ କୋର୍ଟଙ୍କୁ ମଞ୍ଜୁରୀ ଦିଆଯାଇଛି। କିନ୍ତୁ ସେଗୁଡ଼ିକ ମଧ୍ୟରୁ ଏଯାଏ ଅଧିକାଂଶ କୋର୍ଟ କାର୍ଯ୍ୟକ୍ଷମ ହୋଇପାରିନାହିଁ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ମମତାଙ୍କୁ ଚିଠି ଲେଖି କହିଛନ୍ତି କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଶ୍ରୀମତୀ ଦେବୀ ଶୋକ ପ୍ରକାଶ କରିଛନ୍ତି। ଏହାପରେ ମନ୍ତ୍ରୀ କହିଛନ୍ତି ଯେ ଗତ ମାସରେ ଭାରତୀୟ ନ୍ୟାୟ ସଂହିତା ପ୍ରଣୟନ ହୋଇଛି। ଏଥିରେ ସ୍ୱତନ୍ତ୍ର ଭାବେ ମହିଳା ବିରୋଧୀ ହିଂସା ସମସ୍ୟାକୁ ଦୃଷ୍ଟିରେ ରଖି କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି।
ଫାଷ୍ଟଟ୍ରାକ କୋର୍ଟ ସମ୍ପର୍କରେ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, କେନ୍ଦ୍ର ପ୍ରୟୋଜିତ ଏପରି କୋର୍ଟ ପ୍ରତିଷ୍ଠା ପାଇଁ ୨୦୧୯ ଅକ୍ଟୋବରରୁ ଯୋଜନା କାର୍ଯ୍ୟକାରୀ ହୋଇଛି। ୩୦.୦୬.୨୦୨୪ ସୁଦ୍ଧା ଦେଶରେ ୭୫୨ଟି ଫାଷ୍ଟଟ୍ରାକ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଇଛି। ଏହା ମଧ୍ୟରେ ପୋକ୍ସ ମାମଲା ପାଇଁ ସ୍ୱତନ୍ତ୍ର ଭାବେ ୪୦୯ଟି କୋର୍ଟକୁ କାର୍ଯ୍ୟକାରୀ ହେଉଛି। ଫାଷ୍ଟଟ୍ରାକ କୋର୍ଟରେ ୨,୫୩,୦୦୦ କେସ୍ର ବିଚାର ଶେଷ ମଧ୍ୟ ହୋଇଛି।
କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ପଶ୍ଚିମବଙ୍ଗ ପାଇଁ ସ୍ୱତନ୍ତ୍ର ଭାବେ ୧୨୩ଟି ଫାଷ୍ଟଟ୍ରାକ କୋର୍ଟକୁ ମଞ୍ଜୁରୀ ଦିଆଯାଇଛି। ଏହା ମଧ୍ୟରେ ପୋକ୍ସ ମାମଲା ପାଇଁ ସ୍ୱତନ୍ତ୍ର ୨୦ଟି କୋର୍ଟ ରହିଛି। ୧୦୩ କୋର୍ଟକୁ ମିଳିତ ଭାବେ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ପାଇଁ କୁହାଯାଇଛି। କିନ୍ତୁ ୨୦୨୩ ଜୁନ ଯାଏ ଏଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ନଥିଲା।












Click it and Unblock the Notifications