ପୂଜା ଖେଡକରଙ୍କୁ IAS ପଦରୁ ହଟାଇଲେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୂର୍ବତନ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ବିରୋଧରେ ବଡ଼ କର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସରକାର ଶନିବାର ପୂଜା ଖେଡଖରଙ୍କୁ ତତ୍କାଳ ପ୍ରଭାବରୁ ଆଇଏଏସରୁ ବରଖାସ୍ତ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ପୂଜା ଖେଡକରଙ୍କୁ ତୁରନ୍ତ ଭାରତୀୟ ପ୍ରଶାସନିକ ସେବାରୁ ବହିଷ୍କାର କରିଛନ୍ତି।
ପୂଜା ଖେଡକରଙ୍କ ବିରୋଧରେ ଆଇଏଏସ୍ (ପ୍ରୋବେସନ୍) ନିୟମ, ୧୯୯୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ପୂର୍ବରୁ ପୂର୍ବତନ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଏବଂ ଦିଲ୍ଲୀ ପୁଲିସ ବିରୋଧ କରିଥିଲେ।

ପୂଜା ଖେଡକର ଓବିସି ଓ ଦିବ୍ୟାଙ୍ଗ ସଂରକ୍ଷଣର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା। ପୂଜା ଖେଡ଼କର ୨୦୨୦-୨୧ରେ ଓବିସି କୋଟାରେ ପୂଜା ଦିଲୀପରାଓ ଖେଡକର ନାଁରେ ପରୀକ୍ଷା ଦେଇଥିଲେ । ୨୦୨୧-୨୨ରେ ସମସ୍ତେ ଆଟେମ୍ପଟ୍ ପୂରା କରିବା ପରେ ଓବିସି ଏବଂ ପିଡବ୍ଲୁବିଡି କୋଟାରେ ପରୀକ୍ଷାରେ ସାମିଲ ହୋଇଥିଲେ ।
ସେତେବେଳେ ସେ ପୂଜା ମନୋରମା ଦିଲୀପ ଖେଡକର ନାଁ ବ୍ୟବହାର କରିଥିଲେ । ପୂଜା ସର୍ବଭାରତୀୟ ସ୍ତରରେ ୮୨୧ ରାଙ୍କ ହାସଲ କରିଥିଲେ । ପୂଜା ଖେଡକର ନିଜ ନାଁ, ବାପା-ମାଆଙ୍କ ନାଁ, ନିଜ ଫଟୋ, ହସ୍ତାକ୍ଷର, ଇମେଲ୍ ଆଇଡି, ମୋବାଇଲ ନମ୍ୱର ଏବଂ ଠିକଣା ବଦଳାଇ ନିଜ ପରିଚୟରେ ଜାଲିଆତି କରି ପରୀକ୍ଷା ପାଇଁ ପ୍ରୟାସ କରିଥିବା ଅଭିଯୋଗ ରହିଛି ।
ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର ୬ ତାରିଖରେ ପୂଜାଙ୍କୁ ଆଇଏସ ନିୟମ ୧୯୫୪ର ଧାରା ୧୨ ଅଧୀନରେ କେନ୍ଦ୍ର ସରକାର କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ତତ୍କାଳ ଭାବେ ଲାଗୁ ହୋଇଥିବା ମଧ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ପୂଜା ବେଆଇନ ଭାବେ ଆଇଏଏସ୍ ପଦ ହାତେଇଥିବା ଜଣାପଡ଼ିବା ପରେ ପ୍ରଥମେ ୟୁପିଏସ୍ସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜୁଲାଇ ୩୧ରେ ୟୁପିଏସସି ପୂଜା ଖେଡକରଙ୍କ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ବାତିଲ କରିଥିଲା ଓ ତାଙ୍କୁ ଭବିଷ୍ୟତରେ ପ୍ରଶାସନିକ ସେବାର ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲା।












Click it and Unblock the Notifications