ଦିଲ୍ଲୀ ସରକାରଙ୍କ କ୍ଷମତା ପୁଣି ସଙ୍କୁଚିତ, ରାତି ଅଧିଆ କେନ୍ଦ୍ର ଜାରି କଲା ଅଧ୍ୟାଦେଶ
ନୂଆଦିଲ୍ଲୀ: ଦିଲ୍ଲୀ ସରକାରରେ ଅଧିକାରୀମାନଙ୍କ ବଦଳି ବ୍ୟବସ୍ଥାକୁ ନେଇ ଚାଲିଥିବା ଘଟଣା ପୁଣି ଏକ ରୋଚକ ମୋଡ ନେଇଛି। ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ଏଲଜିଙ୍କ ମଧ୍ୟରେ ସରକାରୀ ଅଧିକାରୀଙ୍କ ବଦଳିକୁ ନେଇ ଚାଲିଥିବା ବିବାଦ ପହଞ୍ଚିଥିଲା ସୁପ୍ରିମକୋର୍ଟରେ। ଏହି ମାମଲାର ଶୁଣାଣୀ କରି ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ନିର୍ବାଚିତ ଲୋକ ପ୍ରତିନିଧି ହିଁ ଶାସନ ବ୍ୟବସ୍ଥାରେ ନିଷ୍ପତ୍ତି ନେବା ଉଚିତ। ଅର୍ଥାତ ବଦଳି କରିବା ଅଧିକାର ଦିଲ୍ଲୀ ସରକାରଙ୍କ ପାଖରେ ରହିବ ବୋଲି ସ୍ପଷ୍ଟ କରିଥିଲେ ସୁପ୍ରିମ କୋର୍ଟ।

ଏହି ଘଟଣାର ପ୍ରାୟ ଦଶ ଦିନ ପରେ ଆଜି ଏକ ନାଟକୀୟ ପରିସ୍ଥିତିରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ଆଇନ ବିଭାଗର ଏହି ଅଧ୍ୟାଦେଶରେ ସୁପ୍ରିମ କୋର୍ଟର ଆଦେଶକୁ ନିରାଧାର କରିବା ଭଳି ଉଲ୍ଲେଖ କରାଯାଇଛି, ଯେଉଁଥିରେ ସୁପ୍ରିମ କୋର୍ଟ ଦିଲ୍ଲୀ ସରକାରକୁ ଅଧିକ କ୍ଷମତା ପ୍ରଦାନ କରିଥିଲେ। ଏହି ଅଧ୍ୟାଦେଶ ବଳରେ ଦିଲ୍ଲୀ ପ୍ରଦେଶ ସରକାରଙ୍କ କ୍ଷମତା ପୁଣି ସଙ୍କୁଚିତ ହୋଇଛି।
ଦଶ ଦିନ ପୂର୍ବେ ସୁପ୍ରିମ କୋର୍ଟ କହିଥିଲେ ଯେ, ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ତଥା ଦିଲ୍ଲୀ ସରକାରଙ୍କ କ୍ଯାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଦିଲ୍ଲୀରେ ଏଲଜି କାମ କରିବେ। ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଦ୍ଵାରା ନିଯୁକ୍ତ ଏଲଜି ଦିଲ୍ଲୀ ପ୍ରଦେଶର ବିଭିନ୍ନ ସରକାରୀ ନିର୍ଦ୍ଦେଶ ତଥା ଦସ୍ତାବିଜରେ ଅଧିକାରିକ ଭାବରେ ମୋହର ଲଗାଇଥାନ୍ତି। ଅର୍ଥାତ ମୁଖମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଏଲଜିଙ୍କ ଅନୁମୋଦନ ସାମ୍ବିଧାନିକ ଭାବରେ ଆବଶ୍ୟକ ହୋଇଥାଏ।
କେନ୍ଦ୍ର ସରକାରଙ୍କ ଆଇନ ବିଭାଗରେ ଏହି ଅଧାଦେଶ ଆମ ଆଦମୀ ପାର୍ଟି ତଥା ବିରୋଧୀ ଦଳ ଗୁଡିକୁ କେନ୍ଦ୍ର ବିରୋଧରେ ସମାଲୋଚନା କରିବାକୁ ଖୋରାକ ଯୋଗାଇଛି। ଏହି ସଂକ୍ରାନ୍ତରେ ଆମ ଆଦମୀ ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ବିଳମ୍ବିତ ସନ୍ଧ୍ୟାରେ ଜାରି ଏହି ଅଧ୍ୟାଦେଶ ଦିଲ୍ଲୀ ସରକାର ଏବଂ ଏଲଜିଙ୍କ ମଧ୍ୟରେ ରହିଥିବା ତଥାକଥିତ ବିବାଦକୁ ପୁଣି ଜଟିଳ କରିଛି।












Click it and Unblock the Notifications