ପୋଲିଓ ଅଭିଯାନ ସ୍ଥଗିତ କଲେ କେନ୍ଦ୍ର ସରକାର, ବର୍ତ୍ତମାନ କରୋନା ଟୀକାକରଣ ଉପରେ ଦେବେ ଧ୍ୟାନ
ଆସନ୍ତା ଜାନୁଆରୀ 16 ରୁ ସାରା ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହାକୁ ନେଇ ପଲ୍ସ ପୋଲିଓ ଅଭିଯାନ ଉପରେ କେନ୍ଦ୍ର ଏକ ବଡ ନିଷ୍ପତ୍ତି ନେଇଛି । କିଛିଦିନ ପର୍ଯ୍ୟନ୍ତ ସାମୟିକ ଭାବେ ଏହି ଅଭିଯାନକୁ ସ୍ଥଗିତ ରଖିଛନ୍ତି ।
ନୂଆଦିଲ୍ଲୀ : ସରକାରଙ୍କ କଠିନ ପରିଶ୍ରମ ପରେ 27 ମାର୍ଚ୍ଚ 2014 ରେ ଭାରତ ପୋଲିଓ ମୁକ୍ତ ହୋଇଥିଲା । ଦେଶରେ ପୋଲିଓ କାରଣରୁ ଯେପରି କୌଣସି ବ୍ୟକ୍ତିର ପ୍ରାଣହାନୀ ନହୁଏ ସେଥିପାଇଁ ଏହା ପରେ ମଧ୍ୟ ସତର୍କତାମୂଳକ ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିଥିଲା । କିନ୍ତୁ ଗତ ବର୍ଷ ଭାରତରେ କରୋନା ମହାମାରୀ ବ୍ୟାପିଗଲା, ଯାହା ଫଳରେ ଏପର୍ଯ୍ୟନ୍ତ 1.5 ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଛି । ନିକଟ ଅତୀତରେ ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଦୁଇଟି କରୋନା ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛନ୍ତି । ଆସନ୍ତା ଜାନୁଆରୀ 16 ରୁ ସାରା ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହାକୁ ନେଇ ପଲ୍ସ ପୋଲିଓ ଅଭିଯାନ ଉପରେ କେନ୍ଦ୍ର ଏକ ବଡ ନିଷ୍ପତ୍ତି ନେଇଛି । କିଛିଦିନ ପର୍ଯ୍ୟନ୍ତ ସାମୟିକ ଭାବେ ଏହି ଅଭିଯାନକୁ ସ୍ଥଗିତ ରଖିଛନ୍ତି ।
ପ୍ରତିକାତ୍ମକ ଫଟୋ
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଅପ୍ରତ୍ୟାଶିତ କାର୍ଯ୍ୟକଳାପ ହେତୁ ପୋଲିଓ ଏନଆଇଡି (National Immunisation Day) 17 ଜାନୁୟାରୀ 2021 ରୁ ବାତିଲ କରାଯାଇଛି । ଏହି ଟୀକାକରଣ ଅଭିଯାନ ଉପରେ ପ୍ରତିବନ୍ଧକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରହିବ । ପୋଲିଓ ଟୀକାକରଣ ଅଭିଯାନରେ ଜଡିତ ଥିବା ସ୍ୱାସ୍ଥ୍ୟ ବିଭାଗର ଟିମ୍ ବର୍ତ୍ତମାନ କରୋନା ଟୀକାକରଣ କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଆଶା କରାଯାଉଛି । ପୋଲିଓ ଟୀକାକରଣରେ ନିୟୋଜିତ ଦଳର ମଧ୍ୟ ଏହି ଦିଗରେ କାର୍ଯ୍ୟ କରିବାର ଦୀର୍ଘ ଅଭିଜ୍ଞତା ରହିଛି । ତେଣୁ ଏହିପରି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ, ଜାନୁଆରୀ 8 ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷ ବର୍ଦ୍ଧନ ଜାନୁଆରୀ 17 ତାରିଖରୁ ଦେଶବ୍ୟାପୀ ତିନିଦିନିଆ ପୋଲିଓ ଟୀକାକରଣ ଅଭିଯାନ ହେବା ନେଇ ସୂଚନା ଦେଇଥିଲେ । ଯଦିଓ 2009 ମସିହା ଠାରୁ ଭାରତରେ କୌଣସି ପୋଲିଓ ରୋଗୀ ଚିହ୍ନଟ ହୋଇନାହାନ୍ତି, ତଥାପି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଭାରତକୁ ପୋଲିଓ ମୁକ୍ତ ଘୋଷଣା କରାଯାଇନାହିଁ ।
କେତେ ମାରାତ୍ମକ ଏହି ପୋଲିଓ ?
ବାସ୍ତବରେ, ପୋଲିଓ ଏକ ସଂକ୍ରାମକ ରୋଗ, ଯାହା ପୋଲିଓମେଲାଇଟିସ୍ ମାଧ୍ୟମରେ ପିଲାମାନଙ୍କଠାରେ ବ୍ୟାପିଥାଏ । ଏହି ରୋଗରେ ପୀଡିତ ପିଲାମାନଙ୍କର ଗୋଟିଏ ଅଙ୍ଗ ସାରା ଜୀବନ ପାଇଁ ଦୁର୍ବଳ ତଥା ପକ୍ଷାଘାତ ମଧ୍ୟ ହୋଇଯାଇଥାଏ । ଏହି ରୋଗର କୌଣସି ଉପଶମ ନାହିଁ । କିନ୍ତୁ, ଯଦି ଶିଶୁକୁ ଏହି ପୋଲିଓ ଟିକା ଦିଆଯାଏ, ତେବେ ଏହି ଭାଇରସ୍ କୌଣସି କ୍ଷତି ପହଞ୍ଚାଇ ପାରେ ନାହିଁ । ଯେହେତୁ, ଛୋଟ ପିଲାମାନଙ୍କର ଶରୀର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସକ୍ଷମ ହୋଇନଥାଏ, ତେଣୁ ଏହି ଟିକା କେବଳ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଦିଆଯାଇଥାଏ । ପୋଲିଓ ମୁକ୍ତ ଭାରତ ପାଇଁ ସରକାର ଜାତୀୟ ସ୍ତରରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ ।