ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି : ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଉତ୍ତର ଓଡ଼ିଶାରେ ତିନୋଟି ରେଳ ପ୍ରକଳ୍ପ ସମେତ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିଛନ୍ତି। ଏହି ତିନୋଟି ରେଳ ପ୍ରକଳ୍ପ ହେଉଛି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢ଼ାମରା-ଚାକୁଲିଆ ଏବଂ ବାଦାମପାହାଡ଼-କେନ୍ଦୁଝର। ଏଥିପାଇଁ ୬ ହଜାର ୨୯୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ଏହି ରେଳ ଯୋଗାଯୋଗ ଅର୍ଥନୀତିକ ଅଭିବୃଦ୍ଧିକୁ ଉତ୍ସାହିତ କରିବା ସହ ସେହି ଅଞ୍ଚଳରେ ଜୀବନ ଧାରଣ ମାନରେ ଉନ୍ନତି ଆଣିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶରେ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ଏହି ନୂଆ ରେଳପ୍ରକଳ୍ପଗୁଡ଼ିକ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ସ୍ୱପ୍ନ ବୋଲି ସେ କହିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ ସମ୍ପନ୍ନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଶିଳ୍ପ ଏବଂ ପରିବହନ କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହାଦ୍ୱାରା ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ପଛୁଆ ଅଞ୍ଚଳ ବିକାଶ ଅଧିକ ତ୍ୱରାନ୍ନିତ ହୋଇପାରିବ। ଏହି ଅବସରରେ ରାଷ୍ଟ୍ରପତି ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ୧୦୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ଏବଂ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ପ୍ରମୁଖ ଉପସ୍ଥିତ ଥିଲେ। ମଙ୍ଗଳବାରଠାରୁ ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଆଜି ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି।












Click it and Unblock the Notifications