ବହୁଚର୍ଚ୍ଚିତ ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ;୧୬ଜଣଙ୍କ ନାଆଁରେ ଚାର୍ଜସିଟ୍ ଦାଖଲ କଲାCBI
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଓଡ଼ିଶା ପୁଲିସ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ଦୁର୍ନୀତି ମାମଲାରେ ୧୬ଜଣଙ୍କ ନାଆଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ କିଙ୍ଗପିନ୍ ଶଙ୍କର ପୃଷ୍ଟି, ରିଙ୍କୁ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ, ସୁରେଶ ନାୟକ ଓ ମୁନ୍ନା ମହାନ୍ତିଙ୍କ ନାମ ରହିଥିବା ଜଣାଯାଇଛି। ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଇଛି। ଏମାନଙ୍କ ମଧ୍ୟରୁ ୯ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସିବିଆଇ ପକ୍ଷରୁ ୭ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଏହା ପୂର୍ବରୁ ଆହୁରି କେତେକ ପରୀକ୍ଷାରେ ବି ଏମାନଙ୍କ ସଂପୃକ୍ତି ଥିଲା ବୋଲି ସିବିଆଇ ସ୍ପଷ୍ଟ କରିଛି। ସେନେଇ ତଦନ୍ତ ଚାଲିଛି।
ନଭେମ୍ବର ୨୦ ତାରିଖରେ ସିବିଆଇ ଏସମ୍ପର୍କରେ ଏକ ମାମଲା ରୁଜୁ କରି ପ୍ରାରମ୍ଭିକ ଭାବରେ ମାମଲାର ତଦନ୍ତ କରିଥିବା କ୍ରାଇମବ୍ରାଞ୍ଚରୁ ସମସ୍ତ ପ୍ରାସଙ୍ଗିକ କାଗଜପତ୍ର ମାଗିଥିଲା। ବ୍ରହ୍ମପୁରରେ ପହଞ୍ଚି ସିବିଆଇ ଟିମ୍ ପ୍ରଥମ ପଦକ୍ଷେପ ସ୍ବରୂପ ବ୍ରହ୍ମପୁର କୋର୍ଟରୁ ଭୁବନେଶ୍ବର ସିବିଆଇ କୋର୍ଟକୁ ମାମଲା ସ୍ଥାନାନ୍ତର ଲାଗି ଆବେଦନ କରିବା ସହ ୪ ମୁଖ୍ୟ ଅଭିଯୁକ୍ତଙ୍କ ଜାମିନକୁ କଡ଼ା ବିରୋଧ କରିଛି। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ୪ ଅଭିଯୁକ୍ତ ଜାମିନ ଆବେଦନ କରିଥିଲେ। କିଙ୍ଗପିନ୍ ଶଙ୍କର ପୃଷ୍ଟି, ସୁରେଶ ନାୟକ, ଅରବିନ୍ଦ ଦାସ ଓ ସାଗର ଗୌଡ଼ଙ୍କ ଜାମିନ ଆଜି ଶୁଣାଣି ଥିଲା।

ସିବିଆଇ ମାମଲା ନେଇ ସାରିଥିବାରୁ ଏହି ଜାମିନ ଉପରେ ସମସ୍ତଙ୍କର ନଜର ରହିଥିଲା। ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ସିବିଆଇର ତଦନ୍ତକାରୀ ଅଧିକାରୀ ବି.ସାମଲ ଓ ସିବିଆଇ ଓକିଲ ଏ.କୁମାର କୋର୍ଟରେ ପହଞ୍ଚିଥିଲେ। ତାଙ୍କ ସହ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ସ୍ବର୍ଣ୍ଣପ୍ରଭା ଶତପଥୀ ଉପସ୍ଥିତ ଥିଲେ। ସ୍ବତନ୍ତ୍ର ବିଚାରପତି (ଭିଜିଲାନ୍ସ) ଜ୍ଞାନେନ୍ଦ୍ର କୁମାର ବାରିକଙ୍କ କୋର୍ଟରେ ସିବିଆଇ ଏହି ୪ ଅଭିଯୁକ୍ତଙ୍କ ଜାମିନକୁ କଡ଼ା ବିରୋଧ କରିଥିଲା। ଅଭିଯୁକ୍ତମାନେ ବାହାରକୁ ଆସିଲେ ସାକ୍ଷୀଙ୍କୁ ପ୍ରଭାବିତ କରିବା, ପ୍ରମାଣ ନଷ୍ଟ କରିବାର ସମ୍ଭାବନା ରହିଥିବା ଦର୍ଶାଇଥିଲା।












Click it and Unblock the Notifications