ଜାମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଜାମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ କିରୁ ଜଳବିଦ୍ୟୁତ ପ୍ରକଳ୍ପରେ ୨,୨୦୦ କୋଟି ଟଙ୍କାର ନାଗରିକ କାର୍ଯ୍ୟ ଠିକା ପ୍ରଦାନରେ ଅଭିଯୁକ୍ତ ଦୁର୍ନୀତି ମାମଲାରେ ଏକ ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜସିଟ ତିନି ବର୍ଷର ତଦନ୍ତ ପରେ ଏକ ବିଶେଷ ଅଦାଲତରେ ଦାଖଲ କରାଯାଇଛି। ଅନ୍ୟପଟେ, ଏହି ଘୋଷଣା ପରେ ସତ୍ୟପାଲ ମଲିକ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା "ଗମ୍ଭୀର" ଥିବା ସୂଚନା ମିଳିଛି।
ସତ୍ୟପାଲ ମଲିକ, ଯିଏ ୨୦୧୮ ଅଗଷ୍ଟ ୨୩ରୁ ୨୦୧୯ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଥିଲେ, ଦାବି କରିଥିଲେ ଯେ ତାଙ୍କୁ ଏହି ପ୍ରକଳ୍ପ ସହ ଜଡ଼ିତ ଦୁଇଟି ଫାଇଲ ମଞ୍ଜୁର କରିବା ପାଇଁ ୩୦୦ କୋଟି ଟଙ୍କାର ଲାଞ୍ଚ ଅଫର କରାଯାଇଥିଲା। ସେ ଏହି ଅଭିଯୋଗକୁ ସାର୍ବଜନୀନ କରିଥିଲେ ଏବଂ କହିଥିଲେ ଯେ ସେ ଏହି "ଅନୁଚିତ" ଚୁକ୍ତିକୁ ବାତିଲ କରିଥିଲେ। ତେବେ, ସିବିଆଇ ୨୦୨୨ରେ ଏହି ମାମଲାରେ ଏକ ଏଫଆଇଆର ଦାଖଲ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଗତ ବର୍ଷ ଫେବୃଆରୀରେ ମଲିକଙ୍କ ଘର ସମେତ ୩୦ଟି ସ୍ଥାନରେ ଚଢ଼ାଉ କରିଥିଲା।

ଏହି ଚଢାଉରେ ମଲିକଙ୍କ ସହଯୋଗୀ ଏବଂ କିରୁ ଜଳବିଦ୍ୟୁତ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ସଂସ୍ଥା ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟ (ପ୍ରା) ଲିମିଟେଡ୍ (ସିଭିପିପିପିଏଲ୍) ସହିତ ଜଡିତ ଅଧିକାରୀମାନଙ୍କୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଯେଉଁମାନଙ୍କ ମଧ୍ୟରେ ସିଭିପିପିପିଏଲ୍ ସଂସ୍ଥାର ଅଧ୍ୟକ୍ଷ ନବିନ କୁମାର ଚୌଧୁରୀ, ପୂର୍ବତନ ଅଧିକାରୀ ଏମଏସ ବାବୁ, ଏମକେ ମିତ୍ତଲ ଓ ଅରୁଣ କୁମାର ମିଶ୍ର ରହିଥିଲେ। ଏହାସହ ଏହି କଣ୍ଟ୍ରାକ୍ଟ ପାଇଁ ପ୍ରାୟ ୨,୨୦୦ କୋଟି ଟଙ୍କା ପୁରସ୍କାର ରାଶି ପାଇଥିବା ପଟେଲ ଇଞ୍ଜିନିୟରିଂ କମ୍ପାନୀ ମଧ୍ୟ ସିବାଆଇ ସ୍କାନରରେ ରହିଛି।
ଏନେଇ ସିବିଆଇ କହିଛି ଯେ, ସିଭିପିପିପିଏଲ୍ ର ୪୭ତମ ବୋର୍ଡ ମିଟିଂରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଇ-ଟେଣ୍ଡରିଂ ମାଧ୍ୟମରେ ରି-ଟେଣ୍ଡର ନହୋଇ ପଟେଲ ଇଞ୍ଜିନିୟରିଂ କମ୍ପାନୀକୁ ପୁଣି ଥରେ ଟେଣ୍ଡର ଦିଆ ଯାଇଥିଲା। ଯେଉଁଥିରେ ଘୋର ଅନିୟମିତତା ହୋଇଥିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି।
ତେବେ ମଲିକ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ମତେ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି। ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇ ଲେଖିଛନ୍ତି ଯେ "ଦୀର୍ଘ ତିନି ଚାରି ଦିନ ହେବ ମୋ ଦେହ ଭଲନାହିଁ। ମୁଁ ଡାକ୍ତରଖାନରେ ଚିକିତ୍ସିତ ହେଉଛି। ଏହା ମଧ୍ୟରେ ମୋ ଘର ଉପରେ ଚଢାଉ ହୋଇସାରିଲାଣି। ମୋ ଗାଡି ଚାଳକ ଓ ସହାୟକଙ୍କୁ ମଧ୍ୟ ଏଥିରେ ସାମିଲ ଥିବା କହି ଯାଞ୍ଚ କରୁଛନ୍ତି। ତେବେ ମୁଁ ଜଣେ କୃଷକଙ୍କ ପୁଅ। ଏହି ଚଢାଉ ମତେ ଆଦୌ ଡରାଇ ପାରିବ ନାହିଁ। ମୁଁ ସବୁବେଳେ କୃଷକଙ୍କ ସହ ରହିଛି ଆଉ ରହିବି।"
ଲାଞ୍ଚ ପ୍ରସ୍ତାବ ସମ୍ପର୍କରେ ମଲିକଙ୍କ ସାର୍ବଜନୀନ ଅଭିଯୋଗ ପରେ ସିବିଆଇ ଏପ୍ରିଲ ୨୦୨୨ରେ ମାମଲା ପଞ୍ଜିକୃତ କରିଥିଲା। ସିବିଆଇର ତଦନ୍ତ ପରେ ଚୁକ୍ତିନାମା ପ୍ରଦାନରେ ଅବହେଳାର ପ୍ରମାଣ ମଧ୍ୟ ମିଳିଛି, ଯାହା ଫଳରେ ଚାର୍ଜସିଟ୍ ଦାଖଲ ହୋଇଛି।












Click it and Unblock the Notifications