ଏହି ମାମଲାରେ ଆଇଜିଙ୍କ ସହ ୮ ପୁଲିସଙ୍କୁ ଆଜୀବନ କାରାଦଣ୍ଡ ଦେଲେ ସିବିଆଇ କୋର୍ଟ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପୁଲିସ ଆଇଜି ଏବଂ ଅନ୍ୟ ୭ ଜଣ ପୁଲିସଙ୍କୁ ଆଜି ଚଣ୍ଡିଗଡ଼ର ଏକ ସିବିଆଇ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୭ ମସିହାର ଏକ ହାଜତ ମୃତ୍ୟୁ ମାମଲାରେ ସେମାନଙ୍କ ସମ୍ପୃକ୍ତି ପାଇଁ କୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ପୁଲିସ ଅଫିସର ମାନେ ହେଉଛନ୍ତି ଆଇଜିପି ଜହୁର ହାଇଦର ଜୈଦି ଏବଂ ତତ୍କାଳୀନ ଡିଏସ୍ପି ମନୋଜ ଯୋଶୀ, ଏସ୍ଆଇ ରାଜିନ୍ଦର ସିଂହ, ଏଏସ୍ଆଇ ଦୀପ ଚାନ୍ଦ ଶର୍ମା, ହେଡ କନେଷ୍ଟବଳ ମୋହନ ଲାଲ୍, ସୁରତ ସିଂହ, ରାଫି ମହମ୍ମଦ ଓ କନେଷ୍ଟବଳ ରଂଜିତ ସତେତା। କୋର୍ଟ ମଧ୍ୟ ସମସ୍ତ ଦୋଷୀଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି।
ଜାନୁଆରୀ ୧୮ରେ ମାମଲାର ରାୟ ପ୍ରକାଶ ପାଇଥିବାବେଳେ ସୋମବାର ଦଣ୍ଡାଦେଶ ହୋଇଛି। ୨୦୧୭ ଜୁଲାଇ ୪ରେ ସମ୍ପୃକ୍ତ ଛାତ୍ରୀ ସ୍କୁଲରୁ ଫେରିବାବେଳେ ନିଖୋଜ ହୋଇଯାଇଥିଲେ। ଦୁଇ ଦିନ ପରେ ନିକଟସ୍ଥ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଡାକ୍ତରୀ ମାଇନାରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନିଶ୍ଚିତ ହୋଇଥିଲା।

ଏହି ଘଟଣାରେ ଜନଆକ୍ରୋଶ ତୀବ୍ର ହୋଇଥିଲା। ପୁଲିସ ଜୁଲାଇ ୧୩ରେ ବିନା ତଥ୍ୟ ପ୍ରମାଣରେ ୬ଜଣଙ୍କୁ ଗିରଫ ରଖି ହାଜତରେ ପ୍ରବଳ ନିର୍ଯାତନା ଦେଇଥିଲା। ଏଥିରେ ଜୁଲାଇ ୧୮ରେ ସୂରଜର ମୃତ୍ୟୁ ହୋଇଥିଲା। ହିମାଚଳ ପ୍ରଦେଶ ହାଇକୋର୍ଟ ବଳାତ୍କାର ଓ ହତ୍ୟା ମାମଲା ସହ ସୂରଜ ମୃତ୍ୟୁ ଘଟଣାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିଥିଲେ।
ପରେ ସିବିଆଇ ଅସଲ ଅଭିଯୁକ୍ତ ନିଲୁକୁ ଗିରଫ କରିଥିଲା। ସୂରଜ ସମେତ ଅନ୍ୟ ୬ଜଣ ନିରୀହ ଥିବା ଜଣାପଡ଼ିଥିଲା ଓ ସେମାନଙ୍କୁ ମିଛରେ ଫସାଇ ଦିଆଯାଇଥିବା ସ୍ପଷ୍ଟ ହେବା ପରେ ୨୦୧୯ରେ ସୁପ୍ରିମକୋର୍ଟ ଏହି ମାମଲାକୁ ଶିମଳାରୁ ଚଣ୍ଡିଗଡ଼ ସିବିଆଇ ଅଦାଲତକୁ ସ୍ଥାନାନ୍ତର ନିର୍ଦେଶ ଦେଇଥିଲା।












Click it and Unblock the Notifications