ମଣିପୁର ହିଂସା ଘଟଣାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ କଣ କହିଲା ସିବିଆଇ
ନୂଆଦିଲ୍ଲୀ : ମଣିପୁର ହିଂସା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ । ଏହି ଘଟଣାରେ ସବିଆଇ କରିଲା ବଡ଼ ଖୁଲାସା । ଗତବର୍ଷ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ' ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା । ମଣିପୁର ପୋଲିସ ଅଧିକାରୀ ସେମାନଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ଦେବା ପରିବର୍ତ୍ତେ କାଙ୍ଗପୋକ୍ସି ଜିଲାର ମେଇତି ଦଙ୍ଗାକାରୀମାନଙ୍କ ମେଳି ନିକଟରେ ଛାଡ଼ିଦେଇଥିଲେ ।
ଦଙ୍ଗାକାରୀମାନେ ୨ ମହିଳାଙ୍କୁ ଉଲଗ୍ନ ପରେଡ୍ କରାଇବା ସହ ଯୌନ ନିର୍ଯାତନା ଦେଇଥିଲେ ବୋଲି ସିବିଆଇ ଚାର୍ଜଶିଟ୍ରେ ଉଲ୍ଲେଖ ରହିଛି । ସିବିଆଇ ଚାର୍ଜସିଟ୍ ଅନୁଯାୟୀ, ରାଜ୍ୟରେ ଜାତି ହିଂସା ସମୟରେ ଉଭୟ ମହିଳା ପାର୍କିଂ ପୋଲିସ ଗାଡିରେ ଆଶ୍ରୟ ନେଇଥିଲେ ଏବଂ ଜଣେ ଯୁବକ ମଧ୍ୟ ସେମାନଙ୍କ ସହ କାରରେ ବସିଥିଲେ । ଗାଡିଟିକୁ ସୁରକ୍ଷିତ ସ୍ଥାନକୁ ନିଆଯିବା ଉଚିତ ବୋଲି ମହିଳାମାନେ କହିଥିଲେ । ଉକ୍ତ ମହିଳାଙ୍କ ମଧ୍ୟରୁ ଜଣେ ର୍କାଗିଲରେ ଯୁଦ୍ଧ ଲଢ଼ିଥିବା ଯବାନଙ୍କ ସ୍ତ୍ରୀ ।
ସେମାନଙ୍କୁ ଏକ ନିରାପଦ ସ୍ଥାନକୁ ନେଇଯିବା ପାଇଁ ମହିଳାମାନେ ଗୁହାରି କରିଥିବାବେଳେ ଗାଡ଼ି ଚାବି ନ ଥିବା କହି ପୋଲିସ ଅଧିକାରୀ ସେମାନଙ୍କୁ ତଡ଼ି ଦେଇଥିଲେ ଏବଂ କୌଣସି ପ୍ରକାର ସହାୟତା କରି ନ ଥିଲେ । ଗାଡ଼ିରେ ୨ ଜଣ ପୋଲିସ କର୍ମଚାରୀ ଓ ଜଣେ ଡ୍ରାଇଭର ଥିଲେ ଏବଂ ଗାଡ଼ି ବାହାରେ ୩ରୁ ୪ ଜଣ ରହିଥିଲେ । ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ମହିଳାମାନେ ଡ୍ରାଇଭରଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା ଚାବି ନ ଥିବା କହି ପୋଲିସ ସେମାନଙ୍କ କଥାକୁ ଶୁଣିନଥିଲା ।

ପରେ ଡ୍ରାଇଭର ଗାଡ଼ିକୁ ଦଙ୍ଗାକାରୀମାନଙ୍କ ପାଖକୁ ନେଇଯାଇଥିଲା । ଗାଡ଼ିରେ ୨ ମହିଳାଙ୍କ ସମେତ ଉକ୍ତ ବ୍ୟକ୍ତି ଥିଲେ । ଦଙ୍ଗାକାରୀ ମାଡ଼ି ଆସିବାରୁ ପୋଲିସ ମହିଳା ଓ ଉକ୍ତ ବ୍ୟକ୍ତିଙ୍କୁ ସେଠାରେ ଛାଡ଼ିଦେଇ ପଳାଇଥିଲା । ଦଙ୍ଗାକାରୀ ମହିଳା ୨ ଜଣଙ୍କୁ ଘୋଷାଡ଼ି ନେଇ ଉଲଗ୍ନ ପରେଡ୍ କରାଇବା ପରେ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି ।
ସୂଚନାଯୋଗ୍ୟ ଯେ, ମହିଳାମାନଙ୍କ ଉଲଗ୍ନ ପରେଡ୍ର ଭିଡିଓ ଗତବର୍ଷ ଜୁଲାଇରେ ଭାଇରାଲ ହେବା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଗତବର୍ଷ ଅକ୍ଟୋବର ୧୬ରେ ଗୁଆହାଟୀର ସ୍ୱତନ୍ତ୍ର ସିବିଆଇ ବିଚାରପତିଙ୍କ କୋର୍ଟରେ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ୍ ଦାଖଲ କରିଥିଲା, ଯେଉଁଥିରେ ୬ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା । ଏହା ବ୍ୟତୀତ ଜଣେ ନାବାଳକ ଘଟଣାରେ ସମ୍ପୃକ୍ତ ଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ଥିଲା ।












Click it and Unblock the Notifications