ରାମ ମନ୍ଦିର ଦାନ ଟଙ୍କା ଆତ୍ମସାତ ମାମଲା, ମନ୍ଦିର ଟ୍ରଷ୍ଟକୁ ନୋଟିସ୍, ଏସଆଇଟିକୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମ କୋର୍ଟ
ଅଯୋଧ୍ୟା ରାମ ମନ୍ଦିର ଦାନ ଟଙ୍କା ଆତ୍ମସାତ ମାମଲାରେ ସୁପ୍ରିମ ନୋଟିସ୍ କେନ୍ଦ୍ର, ଉତ୍ତର ପ୍ରଦେଶ ସରକାର ଓ ରାମ ମନ୍ଦିର ଟ୍ରଷ୍ଟକୁ ନୋଟିସ୍ ଜାରି କରିଛନ୍ତି । ଦାନ ଟଙ୍କା ଚୋରି ଓ ଅନିୟମିତତାର କୋର୍ଟ-ମନିଟରିଂ CBI ତଦନ୍ତ ଦାବି ସମ୍ପର୍କିତ ଏକାଧିକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାର, ଉତ୍ତର ପ୍ରଦେଶ ସରକାର ଏବଂ ମନ୍ଦିରର ପରିଚାଳନା ଦାୟିତ୍ୱରେ ଥିବା 'ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ'କୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି ।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ପୂର୍ବରୁ ଗଠିତ SIT ଏହି ଘଟଣାରେ ଏପର୍ଯ୍ୟନ୍ତ କେଉଁ ସବୁ ତଥ୍ୟ ପାଇଛି ଏବଂ ତଦନ୍ତ କେତେ ଦୂର ଆଗେଇଛି, ସେ ନେଇ ଏକ ବିସ୍ତୃତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି SIT ର ଗଠନ କେମିତି ହୋଇଛି ଏବଂ ଏଥିରେ କେଉଁ କେଉଁ ଅଧିକାରୀ ସାମିଲ ଅଛନ୍ତି, ତାହା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରିବାକୁ କୁହାଯାଇଛି ।
ମନ୍ଦିର ଟ୍ରଷ୍ଟକୁ ନୋଟିସ୍ ଜାରି ନକରିବା ପାଇଁ ସଲିସିଟର ଜେନେରାଲ୍ କରିଥିବା ଅନୁରୋଧକୁ ଖଣ୍ଡପୀଠ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଫରେନ୍ସିକ୍ ଅଡିଟ୍ ପାଇଁ ଅଡ଼ି ବସିଲେ ଆବେଦନକାରୀ । ନରେନ୍ଦ୍ର କୁମାର ଗୋସ୍ୱାମୀ ନିଜେ କୋର୍ଟରେ ହାଜର ହୋଇ CBI ତଦନ୍ତ ସହ ଦେଶର ସର୍ବୋଚ୍ଚ ଅଡିଟ୍ ସଂସ୍ଥା 'CAG' ଦ୍ୱାରା ରାମ ମନ୍ଦିର ଟ୍ରଷ୍ଟର ସମସ୍ତ ଆର୍ଥିକ କାରବାରର ଯାଞ୍ଚ କରିବାକୁ ଦାବି କରିଛନ୍ତି ।
ଦୁଇ ଆବେଦନକାରୀ ଅଜୟ କୁମାର ରାୟ ଓ ଦିନେଶ ଯାଦବ କହିଛନ୍ତି, ଏହି ଦୁର୍ନୀତି ଅଭିଯୋଗ ସତ୍ୟ ପ୍ରମାଣିତ ହେଉ ବା ନହେଉ, ଗଣମାଧ୍ୟମରେ ପ୍ରକାଶିତ ଏଭଳି ଖବର କୋଟି କୋଟି ରାମଭକ୍ତ ଓ ଦାତାଙ୍କ ଆବେଗକୁ ଗଭୀର ଆଘାତ ଦେଇଛି । ତେଣୁ ସରକାର ଭକ୍ତଙ୍କ ସ୍ୱାର୍ଥ ରକ୍ଷା କରନ୍ତୁ । ଆରଜେଡି ସାଂସଦ ସୁଧାକର ସିଂ କହିଛନ୍ତି, ଏକ ସ୍ୱାଧୀନ ଓ ନିରପେକ୍ଷ ସଂସ୍ଥା ଦ୍ୱାରା ଟ୍ରଷ୍ଟର ସମସ୍ତ ନଗଦ ଟଙ୍କା, ସୁନା, ରୂପା, ଡିଜିଟାଲ କାରବାର ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟର 'ଫୋରେନ୍ସିକ୍ ଅଡିଟ୍' କରାଯାଉ । ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଟ୍ରଷ୍ଟକୁ କୌଣସି ବଡ଼ ଚୁକ୍ତି, ଜମି କିଣାବିକା କିମ୍ବା ଆର୍ଥିକ ବିନିଯୋଗ କରିବାକୁ ଅନୁମତି ନଦିଆଯାଉ ଏବଂ ସମସ୍ତ ଆୟ-ବ୍ୟୟର ତଥ୍ୟ ୱେବସାଇଟ୍ ରେ ସାର୍ବଜନୀନ କରାଯାଉ ।
ସେହିଭଳି ହିନ୍ଦୁ ଧର୍ମ ପରିଷଦ ପକ୍ଷରୁ ମଧ୍ୟ କୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱଚ୍ଛ ତଦନ୍ତ ପାଇଁ ଗୁହାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶ ପୋଲିସ ଏହି ଘଟଣାରେ ଏକ FIR ରୁଜୁ କରି ସାରିଛି ଏବଂ SIT ତଦନ୍ତ ଆଧାରରେ ପ୍ରାୟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ହେପାଜତରେ ରଖାଯାଇଛି ।












Click it and Unblock the Notifications