Jharkhand Assembly Election : ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆସନ୍ତା ଶେଷ ହେଲା ପ୍ରଚାର
ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ଶେଷ ହୋଇଛି। ଆସନ୍ତା ୧୩ ତାରିଖରେ ୪୩ଟି ନିର୍ବାଚନ ମଣ୍ଡଳୀ ପାଇଁ ମତଗ୍ରହଣ କରାଯିବ। ପ୍ରଚାରର ଆଜି ଶେଷ ଦିନରେ ଏନ୍.ଡି.ଏ ଏବଂ ଇଣ୍ଡି ମେଣ୍ଟର ଷ୍ଟାର୍ ପ୍ରଚାରକ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି।
ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 'ମେରା ବୁଥ୍ ସବ୍ସେ ମଜଭୁତ' ଅଭିଯାନ ଅଧୀନରେ ଝାଡ଼ଖଣ୍ଡର ଦଳୀୟ କର୍ମୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଝାଡ଼ଖଣ୍ଡର ଦ୍ରୁତ ବିକାଶ ପାଇଁ ଡବଲ୍ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଝାଡ଼ଖଣ୍ଡ ଜଙ୍ଗଲ ଏବଂ ଖଣିଜ ସମ୍ପଦରେ ସମୃଦ୍ଧ ହୋଇଥିଲେ ମଧ୍ୟ ସୁଦ୍ଧା ରାଜ୍ୟରେ ବିକାଶର ଅଭାବ ରହିଛି ଏବଂ ବେକାରୀ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଜେଏମ୍ଏମ୍, କଂଗ୍ରେସ ଓ ଆର୍ଜେଡି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିପାରିନାହାଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଜେଏମ୍ଏମ୍ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏନ୍ଡିଏ ଶାସନ ଅମଳରେ ଝାଡ଼ଖଣ୍ଡର ସ୍ୱାର୍ଥକୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।
ପାଲାମୁସ୍ଥିତ ହୁସେନାବାଦର ଏକ ନିର୍ବାଚନ ସଭାକୁ ସମ୍ବୋଧନ କରି ଶ୍ରୀ ସୋରେନ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଆସନ୍ତା ବୁଧବାର ଦିନ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପୋଲିଂ ପାର୍ଟି ଆଜିଠାରୁ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯାତ୍ରା
ଆରମ୍ଭ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ କେ. ରବିକୁମାର କହିଛନ୍ତି ୫ଟି ଜିଲ୍ଲାର ୨୨୫ଟି ଭୋଟ୍ ଗ୍ରହଣ କେନ୍ଦ୍ରକୁ ଆଜିଠାରୁ କର୍ମଚାରୀମାନଙ୍କୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେହି ଜିଲ୍ଲାଗୁଡ଼ିକ ହେଉଛି ପଶ୍ଚିମ ସିଂହଭୂମ, ଲାଟେହାର, ଲୋହାରଡାଗା, ଗଡ଼ୱା ଏବଂ ଗୁମ୍ଲା । ଏହି ସବୁ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକ ସମ୍ବେଦନଶୀଳ ବୋଲି ଜଣାପଡ଼ିଛି । ଶ୍ରୀ କୁମାର କହିଛନ୍ତି, ବାୟୁସେନା ହେଲିକପ୍ଟର ମାଧ୍ୟମରେ ପୋଲିଂ ପାର୍ଟିକୁ ନେବାଆଣିବା କରାଯିବ। ସେ କହିଛନ୍ତି, ଆସନ୍ତାକାଲି ଅନ୍ୟ ସମସ୍ତ ଭୋଟ୍ ଗ୍ରହଣ କେନ୍ଦ୍ରକୁ କର୍ମଚାରୀମାନଙ୍କୁ ପଠାଯିବ ।












Click it and Unblock the Notifications