ଆସନ୍ତାକାଲି ଶେଷ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର
ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆଉ ଦୁଇ ଦିନ ବାକି ଥିବା ବେଳେ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସର ପ୍ରମୁଖ ନେତାମାନେ ସେମାନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ରାଲି ଏବଂ ରୋଡ୍ ସୋ' କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଆର.କେ ପୁରମରେ ଏକ ସାଧାରଣ ସଭାରେ ସମ୍ବୋଧନ କରିବେ।
ଦଳର ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ରାଜେନ୍ଦ୍ର ନଗର, ଚାନ୍ଦନୀ ଚୌକ ଏବଂ ଲକ୍ଷ୍ମୀ ନଗରରେ ଅନୁଷ୍ଠିତ ହେବାକୁ ଥିବା ରାଲିରେ ଯୋଗଦେବେ। ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ରୋଡ୍ ସୋ କରିବେ। ଦଳର ବରିଷ୍ଠ ନେତା ସଞ୍ଜୟ ସିଂହ ମଧ୍ୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ମୁସ୍ତାଫାବାଦ ନିର୍ବାଚନମଣ୍ଡଳୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ସେହିପରି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧୀ ରାଜଧାନୀର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଲି କରିବେ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ବୁଧବାର ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଚଳିତ ମାସ ୮ ତାରିଖରେ ଭୋଟ୍ ଗଣତି ହେବ।












Click it and Unblock the Notifications