ଗହମ ସମେତ ୬ଟି ରବି ଫସଲରେ ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର, ଜାଣନ୍ତୁ କେତେ ବୃଦ୍ଧି ହୋଇଛି ?
ରବି ଫସଲ ଏମଏସପି ବୃଦ୍ଧି: କୃଷକଙ୍କ ଆୟକୁ ଆହୁରି ବୃଦ୍ଧି କରିବା ପାଇଁ ଗହମ ଏବଂ ମସୁର ସହିତ ୬ଟି ରବି ଫସଲରେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବୁଧବାର ମୋଦୀ ସରକାରଙ୍କ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି ।
କେଉଁ ଫସଲରେ MSP କେତେ ବୃଦ୍ଧି ପାଇଲା?
କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ବିପଣନ ଋତୁ ୨୦୨୪-୨୫ ଲାଗି ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। ଡାଲି (ମସୁର) ପାଇଁ କୁଇଣ୍ଟାଲ ପିଛା ୪୨୫ ଟଙ୍କା ଏବଂ ରେପସିଡ ଓ ସୋରିଷ ପାଇଁ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ଏମଏସପି ବୃଦ୍ଧିକୁ ଅନୁମୋଦନ କରାଯାଇଛି । ଗହମ ଓ କୁସୁମ ପାଇଁ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ଲେଖାଏଁ ବୃଦ୍ଧିକୁ ଅନୁମୋଦନ ମିଳିଛି। ବାର୍ଲି ଓ ଚଣାର ଏମଏସପି କ୍ୱିଣ୍ଟାଲ ପିଛା ଯଥାକ୍ରମେ ୧୧୫ ଟଙ୍କା ଓ ୧୦୫ ଟଙ୍କା ବୃଦ୍ଧି କରାଯାଇଛି ।
*ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି । ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଲାଗୁ ମୂଲ୍ୟ ସାମିଲ ରହିଛି ।
ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢ଼ଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ୍ ୨୦୧୮-୧୯ରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଅନୁରୂପ ୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି । ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୨ ପ୍ରତିଶତ, ସୋରିଷ ଓ ରେପସିଡ୍ ଉପରେ ୯୮ ପ୍ରତିଶତ, ମସୁର ଉପରେ ୮୯ ପ୍ରତିଶତ, ଚଣା ଉପରେ ୬୦ ପ୍ରତିଶତ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୨ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳିପାରିବ । ଚାଷୀମାନଙ୍କୁ ଉଚିତ୍ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏବଂ ଫସଲ ବିବିଧକରଣକୁ ପ୍ରୋତ୍ସାହନ ଦେବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ।
ଖାଦ୍ୟ ନିରାପତ୍ତା ଓ କୃଷକଙ୍କ ଆୟ ବୃଦ୍ଧି ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସରକାର ତୈଳବୀଜ, ଡାଲି ଏବଂ ମାଣ୍ଡିଆ ବାଜରା ଭଳି ମିଲେଟ୍ସ ବା ଶ୍ରୀ ଅନ୍ନ ଶସ୍ୟର ଅମଳ ବୃଦ୍ଧି ପାଇଁ ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରୁଛନ୍ତି । ତୈଳବୀଜ ଓ ଡାଲି ଚାଷ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନ୍ଏଫ୍ଏସ୍ଏମ୍), ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଏବଂ ଜାତୀୟ ତୈଳବୀଜ ଓ ତାଳ ତେଲ ମିଶନ (ଏନ୍ଏମ୍ଓଓପି) ଭଳି ବିଭିନ୍ନ ପଦକ୍ଷେପ ନେଇଛନ୍ତି ।
ଏହାବ୍ୟତୀତ କିଷାନ କ୍ରେଡିଟ୍ କାର୍ଡ (କେସିସି) ଯୋଜନାର ଲାଭ ଦେଶର ପ୍ରତ୍ୟେକ କୃଷକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର କୃଷି ଋଣ ପୋର୍ଟାଲ (କେଆରପି), କେସିସି ଘର ଘର ଅଭିଯାନ ଏବଂ ପାଣିପାଗ ସୂଚନା ନେଟୱାର୍କ ଡାଟା ପ୍ରଣାଳୀ (ୱିଣ୍ଡସ) ଆରମ୍ଭ କରିଛନ୍ତି । ୱିଣ୍ଡସର ଲକ୍ଷ ହେଉଛି କୃଷକମାନଙ୍କୁ ସେମାନଙ୍କ ଫସଲ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ସଶକ୍ତ କରିବା ପାଇଁ ଠିକ୍ ସମୟରେ ଏବଂ ସଠିକ୍ ପାଣିପାଗ ସୂଚନା ପ୍ରଦାନ କରିବା । କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା, ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବିସ୍ତାର କରିବା, ଡାଟା ବ୍ୟବହାରକୁ ସର୍ବାଧିକ ସ୍ତରକୁ ନେବା ଏବଂ ସମଗ୍ର ଦେଶରେ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ ।
।

ନୂତନ MSP ଅଧୀନରେ କ୍ୱିଣ୍ଟାଲ ପ୍ରତି ଟଙ୍କା ତାଲିକା ଜାଣ
ଗହମ ପାଇଁ କ୍ୱିଣ୍ଟାଲ ପିଛା 2,275 ଟଙ୍କା MSP
ବାର୍ଲି ପାଇଁ ଅନୁମୋଦିତ କ୍ୱିଣ୍ଟାଲ ପିଛା 1,850 ଟଙ୍କା MSP
ଚଣା ପାଇଁ ଅନୁମୋଦିତ କ୍ୱିଣ୍ଟାଲ ପିଛା 5,440 ଟଙ୍କା MSP
ମସୁର ଡାଲି ପାଇଁ କ୍ୱିଣ୍ଟାଲ ପିଛା 6,425 ଟଙ୍କା MSP
ତୈଳବୀଜ ଏବଂ ସୋରିଷ ପାଇଁ କ୍ୱିଣ୍ଟାଲ ପିଛା 5,650 ଟଙ୍କା MSP
କୁସୁମ ପାଇଁ କ୍ୱିଣ୍ଟାଲ ପିଛା 5,880 ଟଙ୍କା MSP ଅନୁମୋଦିତ












Click it and Unblock the Notifications