ମହାକୁମ୍ଭ ମେଳାରେ ଆଜି ବୁଡ଼ ପକାଇଲେ ସାଢ଼େ ୩ କୋଟିରୁ ଅଧିକ ଶ୍ରଦ୍ଧାଳୁ
ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ପବିତ୍ର ମହାକୁମ୍ଭ ମେଳାରେ ଆଜି ପ୍ରଥମ ଅମୃତ ସ୍ନାନ ଅନୁଷ୍ଠିତ ହୋଇଛି। ପ୍ରାୟ ୩ କୋଟି ୫୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀ ଏହି ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ। ସମୁଦାୟ ୧୩ଟି ଆଖଡ଼ା ନିର୍ଦ୍ଧାରିତ ସମୟ ଓ କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ଅମୃତ ସ୍ନାନରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅମୃତ ସ୍ନାନରେ ଅଂଶଗ୍ରହଣ କରିଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହା ଭକ୍ତି ଓ ଆଧ୍ୟାତ୍ମିକତାର ପ୍ରକୃତ ପ୍ରତିଫଳନ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଅମୃତ ସ୍ନାନ ପର୍ବ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ସମସ୍ତ ଆଖଡ଼ା, ମହାକୁମ୍ଭ ମେଳାର ପ୍ରଶାସନ, ପୁଲିସ ପ୍ରଶାସନ, ସ୍ୱଚ୍ଛତା କର୍ମୀ, ସ୍ୱୟଂସେବୀ ସଂଗଠନ, ନାବିକ ତଥା ମହାକୁମ୍ଭ ସହ ଯୋଡ଼ି ହୋଇଥିବା କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି। ୧୪୪ ବର୍ଷ ପରେ ଅନୁଷ୍ଠିତ ଏହି ମହାକୁମ୍ଭରେ ରୀତିନୀତି ବେଶ୍ ଶୃଙ୍ଖଳାର ସହିତ ଚାଲିଛି।

ଆଜି ପବିତ୍ର ସ୍ନାନ ପରେ ଭକ୍ତମାନେ ବିଭିନ୍ନ ଘାଟରେ ପୂଜାର୍ଚ୍ଚନା କରିଥିଲେ। ପରମ୍ପରାକୁ ବଜାୟ ରଖି ସେମାନେ ଏହି ସମାଗମର ପବିତ୍ରତାକୁ ଆହୁରି ସୁଦୃଢ଼ କରିବାକୁ ଯାଇ ଦାନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଜି ସକାଳେ ଗଙ୍ଗା ଆରତୀରେ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ। ପ୍ରଶାସନ ପକ୍ଷରୁ ହେଲିକପ୍ଟର ଯୋଗେ ଶ୍ରଦ୍ଧାଳୁଙ୍କ ଉପରକୁ ପୁଷ୍ପବର୍ଷା କରାଯାଇ ଅଭିନନ୍ଦନ ଜଣାଯାଇଥିବା ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି।
ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ସମାବେଶରେ ଯୋଗଦେବାକୁ ଆସୁଥିବା ବିଭିନ୍ନ ଭାରତୀୟ ଭାଷାଭାଷୀ ଶ୍ରଦ୍ଧାଳୁଙ୍କ ସହାୟକ ହେଉଛି 'ଭାଷିନୀ' ମୋବାଇଲ ଆପ୍। ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଆପ୍ ୧୧ଟି ଭାଷାରେ ସଙ୍ଗେ ସଙ୍ଗେ ଭାଷାନ୍ତରଣ ସୁବିଧା ଯୋଗାଉଛି। ଏଣୁ ଯେ କୌଣସି ଭାଷା କହୁଥିବା ଲୋକଙ୍କୁ କଥାକୁ ବୁଝିବା ଏବଂ ପ୍ରୟାଗରାଜରେ ରାସ୍ତା ଖୋଜିବା ସହାୟକ ହେଉଛି। ଉତ୍ତରପ୍ରଦେଶ ପୁଲିସ ମଧ୍ୟ 'ଭାଷିନୀ' ଆପ୍ ସହାୟତାରେ ଶ୍ରଦ୍ଧାଳୁଙ୍କୁ ସହଯୋଗ କରୁଛନ୍ତି।












Click it and Unblock the Notifications