Budget 2025 ; ଏହିମାନଙ୍କୁ ବଡ ଉପହାର ଦେଇ ପାରନ୍ତି କେନ୍ଦ୍ର ସରକାର
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ କିଛି ଦିନ ପରେ ସଂସଦରେ ଉପସ୍ଥାପନ କରିବାକୁ ଯାଉଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ରେ ଦେଶର ଗରିବ, ଚାଷୀ, ମହିଳା ଓ ଯୁବିପିଢ଼ିଙ୍କୁ ପ୍ରାଧାନ୍ୟ ଦେଇଥିବା କୁହାଯାଉଛି। ଲୋକସଭା ନିର୍ବାଚନରେ ଏହି ବର୍ଗଗୁଡ଼ିକର ପ୍ରଭାବ ଅଧିକ ଥିଲା। ତେଣୁ ସେମାନଙ୍କୁ ଖୁସି କରିବା ଲାଗି ବଜେଟ୍ରେ ସବୁ ପ୍ରକାର ପ୍ରୟାସ କରାଯାଇଥିବା କୁହାଯାଉଛି।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ର ଲାଗି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଓ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ପରିସରକୁ ବଜେଟ୍ରେ ବ୍ୟାପକ କରାଯିବ। ଗ୍ରାମୀଣ ବିକାଶ ଓ ଚାଷୀଙ୍କ କଲ୍ୟାଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ପିଏମ୍-କିଷାନରେ ଚାଷୀମାନଙ୍କୁ ବର୍ଷକୁ ଦିଆଯାଉଥିବା ୬୦୦୦ ଟଙ୍କା ସହାୟତାକୁ ବଢ଼ାଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ବ୍ୟାପକ କରାଯିବ। ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ଦ୍ବାରା ପ୍ରଭାବିତ ହେଉଥିବା ଚାଷ କ୍ଷେତ୍ର ଲାଗି ମଧ୍ୟ ବଜେଟ୍ରେ ବ୍ୟବସ୍ଥା ରହିବ। ଦେଶରେ ନିଯୁକ୍ତି ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଯୁବପିଢ଼ିଙ୍କୁ ନିଯୁକ୍ତି ପାଇବା ଲାଗି ସକ୍ଷମ କରିବା ପାଇଁ ସେମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବା ଲାଗି ବଜେଟ୍ରେ ବ୍ୟବସ୍ଥା କରାଯିବ। ଗତ ବଜେଟ୍ରେ ଏକ ଇଣ୍ଟର୍ନସିପ୍ ଯୋଜନା ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବାକୁ ଉଦ୍ୟମ କରାଯିବ। ଗତ ଏକ ଦଶନ୍ଧି ମଧ୍ୟରେ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି। ସେହି ଧାରାକୁ ବଜାୟ ରଖିବା ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜଳ ଆରୋଗ୍ୟ ଯୋଜନା ଲାଗି ଅଧିକ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି।
ଚଳିତ ବର୍ଷ ବଜେଟ୍ରେ ଆୟକର ହ୍ରାସ କରି ମଧ୍ୟବିତ୍ତ ବର୍ଗଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ବିଭିନ୍ନ ମହଲରୁ ପ୍ରାକ୍ ବଜେଟ୍ ଆଲୋଚନା ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଣୁ ସେନେଇ ବଜେଟ୍ରେ କିଛିଟା ଘୋଷଣା ହେବା ଆଶା କରାଯାଉଛି। ଜନକଲ୍ୟାଣକାରୀ ଯୋଜନା ପ୍ରତି ଯଦିଓ ସରକାର ଧ୍ୟାନ ଦେବେ, କିନ୍ତୁ ଆର୍ଥିକ ଶୃଙ୍ଖଳା ଯେଭଳି ବଜାୟ ରହିବ ତାହାକୁ ସରକାର ଭୁଲିବେ ନାହିଁ। ଟିକସ ସଂଗ୍ରହ ଲକ୍ଷ୍ୟକୁ ବଢ଼ାଇ ବିତ୍ତୀୟ ନିଅଣ୍ଟକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୪.୫ ପ୍ରତିଶତ ମଧ୍ୟରେ ରଖିବା ଲାଗି ସରକାର ଉଦ୍ୟମ କରିବେ।












Click it and Unblock the Notifications