Budget 2025:ବଜେଟ୍ ପୂର୍ବରୁ ହାଲୁଆ ବାଣ୍ଟିଲେ ଅର୍ଥମନ୍ତ୍ରୀ
ଆଜି ହାଲୁଆ ଉତ୍ସବ । ୨୦୨୫-୨୬ ସାଧାରଣ ବଜେଟ୍ ପୂର୍ବରୁ ଆଜି ହାଲୁଆ ଉତ୍ସବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନର୍ଥ ବ୍ଲକରେ ତାଙ୍କ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ପାରମ୍ପରିକ ହାଲୁଆ ସମାରୋହ ପାଳନ କରିଥିଲେ। ଏହି ସମାରୋହ ସହିତ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ସହ ଜଡ଼ିତ ସମସ୍ତ ଲୋକଙ୍କୁ ବଜେଟ୍ ଉପସ୍ଥାପନ ନ ହେବା ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରଣାଳୟରେ ବନ୍ଦ କରି ରଖାଯିବ। ନା ସେମାନେ ଘରକୁ ଯାଇପାରିବେ ନା ପରିବାରର କୌଣସି ସଦସ୍ୟଙ୍କ ସହ କଥା ହୋଇପାରିବେ।
ତେବେ ଏହି ହାଲୁଆ ସମାରୋହ ଏତେ ସ୍ୱତନ୍ତ୍ର କାହିଁକି ? ହାଲୁଆ ଉତ୍ସବ କେବେଠାରୁ ଆରମ୍ଭ ହୋଇଛି ତାହାର ଐତିହାସିକ ତଥ୍ୟ ଯଦିଓ ଉପଲବ୍ଧ ନାହିଁ ତଥାପି ଏହା ଏକ ପରମ୍ପରାରେ ପରିଣତ ହୋଇସାରିଛି, ଉଲ୍ଲେଖଯୋଗ୍ୟ ଯେ ଭାରତରେ ଯେକୌଣସି ଶୁଭ କାମ ଆରମ୍ଭ ପୂର୍ବରୁ ମିଠା ରୋଷେଇର ପରମ୍ପରା ରହିଥାଏ । ଏହି ପରମ୍ପରା ଅନୁସାରେ ବଜେଟ୍ ଉପସ୍ଥାପନ ପୂର୍ବରୁ ହାଲୁଆ ସେରମନି ଆୟୋଜନ କରାଯାଇଥାଏ । ଏହି ଆୟୋଜନ ପରେ ବଜେଟ୍ ସହ ଜଡ଼ିତ ଅଧିକାରୀଙ୍କୁ ବାହାର ଦୁନିଆଠାରୁ ଅଲଗା ରଖାଯାଇଥାଏ ।
ଏହାର ଉଦ୍ଦେଶ୍ୟ ବଜେଟ୍ ନିଷ୍ପତ୍ତି ଏବଂ ନୀତିକୁ ଗୋପନୀୟ ରଖିବା । କହିବାକୁ ଗଲେ ଅଧିକାରୀମାନେ ଏକ ପ୍ରକାର ନଜରବନ୍ଦୀ ହୋଇ ରହିଥାନ୍ତି । ଅର୍ଥମନ୍ତ୍ରୀ ଲୋକସଭାରେ ନିଜ ବଜେଟ୍ ଭାଷଣ ଶେଷ କରିବା ପରେ ସମସ୍ତେ ବାହାରକୁ ଆସିଥାନ୍ତି ।

ଜାନୁୟାରୀ ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଫେବୃୟାରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନ କରିବେ । ଜାନୁୟାରୀ ୩୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଦୁଇଟି ପର୍ଯ୍ୟାୟରେ ହେବ ଏହି ବଜେଟ ଅଧିବେଶନ । ପ୍ରଥମ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ଭାଗ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।
ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦିଲ୍ଲୀ ଭୋଟ ଦିନ ବଜେଟ ଅଧିବେଶନ ଚାଲିବ ନାହିଁ । ୩ ଫେବୃଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ । ବଜେଟରେ ଏଥର ପୁରୁଣା ଟାକ୍ସ ବ୍ୟବସ୍ଥା ଉପରେ କିଛି ପରିବର୍ତ୍ତନ ଆସିପାରେ । ପୁରୁଣା ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ପ୍ରଥମରୁ ଚର୍ଚ୍ଚା ଲାଗି ରହିଛି । ଏହି ଟ୍ଯାକ୍ସ ବ୍ୟବସ୍ଥା ୧ ଏପ୍ରିଲ ୨୦୨୦ରେ ଲାଗୁ କରାଯାଇଥିଲା । ଅଷ୍ଟାଦଶ ଲୋକସଭା ନିର୍ବାଚନ ପରେ ସରକାର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ । ପରମ୍ପରା ଅନୁସାରେ ବଜେଟ ଅଧିବେଶନ ଆରମ୍ଭ ଦିନ ୩୧ ଜାନୁଆରୀରେ ସଂସଦର ଦୁଇ ଗୃହର ମିଳିତ ଅଧିବେଶନ ବୈଠକ ହେବ ।












Click it and Unblock the Notifications