ଆଜି କେନ୍ଦ୍ର ବଜେଟ୍: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଏହା ହେବ ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ । ଅନ୍ୟପଟେ ବଜେଟ୍ ପ୍ରସ୍ତାବକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।
ଆଜି ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ୍ ଭାଷଣ ପଢ଼ିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଅର୍ଥଶାସ୍ତ୍ରୀମାନେ କହିଛନ୍ତି ଯେ ବିତ୍ତୀୟ ଶୃଙ୍ଖଳାକୁ ଗୁରୁତ୍ବ ଦେଇ ଅର୍ଥମନ୍ତ୍ରୀ ସବୁ ବର୍ଗକୁ ଛୁଇଁଲା ଭଳି ବଜେଟ୍ ଆଗତ କରିପାରନ୍ତି।
ଅନ୍ୟପକ୍ଷରେ ବିଶେଷଜ୍ଞମାନେ ମତ ରଖିଛନ୍ତି ଯେ ମଧ୍ୟବିତ୍ତ ବର୍ଗଙ୍କୁ ଟିକସ ରିହାତି ଦେଇ ଖୁସି କରିପାରନ୍ତି। ନୂଆ ବ୍ୟବସ୍ଥାରେ ଟିକସ ଛାଡ଼ ସୀମା ୩ ଲକ୍ଷ ଟଙ୍କା ରଖାଯାଇଛି। ଅର୍ଥମନ୍ତ୍ରୀ ଏହାକୁ ୫ ଲକ୍ଷ ଟଙ୍କାକୁ ବଢ଼ାଇପାରନ୍ତି। ଏହା ହେଲେ ନୂଆ ଟିକସ ବ୍ୟବସ୍ଥା ଆକର୍ଷଣୀୟ ହେବ ଏବଂ ଲୋକଙ୍କ ପାଖରେ ଅଧିକ ପାଣ୍ଠି ଖର୍ଚ୍ଚ କରିବାକୁ ଉପଲବ୍ଧ ହେବ। ସେହିଭଳି ନୂଆ ଟିକସ ଢାଞ୍ଚାରେ ୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କାର ଆୟବର୍ଗର ବ୍ୟକ୍ତିଙ୍କ ଠାରୁ ୨୦ ପ୍ରତିଶତ ହାରରେ ଟିକସ ଆଦାୟ କରାଯାଉଛି। ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଠାରୁ ୩୦ ପ୍ରତିଶତ ହାରରେ ଟିକସ ଆଦାୟ କରାଯାଉଛି। ଏହାକୁ ହ୍ରାସ କରିବା ପାଇଁ ଦାବି ହେଉଥିବାରୁ ଅର୍ଥମନ୍ତ୍ରୀ ଏ ନେଇ କିଛି ଘୋଷଣା କରିପାରନ୍ତି। ଏହାବାଦ୍ ସରକାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମାତ୍ରାକୁ ବର୍ତ୍ତମାନର ୫୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି। ଏଥିସହିତ ସୁଲଭ ମୂଲ୍ୟର ଗୃହ ଉପରେ ଟିକସ ରିହାତି ଦେବା ସହିତ ଏହି କ୍ଷେତ୍ରକୁ ଶିଳ୍ପ ମାନ୍ୟତା ଦେଇପାରନ୍ତି।

ସରକାର ସବୁଜ ଶକ୍ତି ଉପରେ ଗୁରୁତ୍ବ ଦେଉଛନ୍ତି। ତେଣୁ ଅର୍ଥମନ୍ତ୍ରୀ ଏହି କ୍ଷେତ୍ର ପାଇଁ କିଛି ବିଶେଷ ଘୋଷଣା କରିପାରନ୍ତି। ଦେଶରେ ନିଯୁକ୍ତି ସୃଷ୍ଟିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ବଡ଼ ଭୂମିକା ରହିଛି। ତେଣୁ ଏମ୍ଏସ୍ଏମ୍ଇ ସହିତ ଷ୍ଟାର୍ଟଅପ୍ କ୍ଷେତ୍ର ପାଇଁ ପ୍ରୋତ୍ସାହନ ଦେବା ନେଇ ଆଶା କରାଯାଉଛି। ଭାରତକୁ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ପିଏଲ୍ଆଇ ଯୋଜନା କାର୍ଯ୍ୟକାରୀ ହେଉଛି। ବଜେଟରେ ଏହାକୁ ବ୍ୟାପକ କରାଯିବା ନେଇ ଘୋଷଣା ହୋଇପାରେ। ଏଥିସହିତ କୃଷି, ଜଳସେଚନ, ସଡ଼କ ପରିବହନ, ରେଳବାଇ ସମେତ ଗ୍ରାମୀଣ ଅର୍ଥନୀତିର ବିକାଶ ଉପରେ ମଧ୍ୟ ବଜେଟ୍ରେ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି। ବଜେଟ୍ରେ ପୁଞ୍ଜିବ୍ୟୟକୁ ବଢ଼ାଇ ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ଭାରତରେ ପରିଣତ କରିବା ପାଇଁ ରଖାଯାଇଥିବା ଲକ୍ଷ୍ୟ ହାସଲର ରୂପରେଖ ବଜେଟ୍ରେ ଅର୍ଥମନ୍ତ୍ରୀ ଦେଇପାରନ୍ତି। ସାଧାରଣ ନିର୍ବାଚନରେ ମୋଦୀ ସରକାର ୪୦୦ରୁ ଅଧିକ ଆସନ ଜିତିବା ଆଶା ରଖିଥିଲେ। କିନ୍ତୁ ଏହି ଲକ୍ଷ୍ୟ ହାସଲ କରିବା ଦୂରର କଥା, ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ମଧ୍ୟ ହାସଲ କରିପାରି ନାହିଁ। ତେଣୁ ବଜେଟରେ ଗୋଟିଏ ପଟେ ଭୋଟରଙ୍କୁ ଖୁସି କରିବା ପାଇଁ କିଛି ଶସ୍ତା ଲୋକପ୍ରିୟ ଯୋଜନା ଏବଂ ଅନ୍ୟପଟେ ଅର୍ଥନୀତିକୁ ଆଗକୁ ନେବାପାଇଁ କିଛି ସଂସ୍କାରଧର୍ମୀ ପଦକ୍ଷେପ ଗ୍ରହଣ କରି ଭିନ୍ନ ଧରଣର ବଜେଟ ଆଣିବେ ବୋଲି ଆଶା କରାଯାଉଛି।












Click it and Unblock the Notifications