ଜଳୁଛି ଦେଶ, ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ବସିଛନ୍ତି ୫୦୦ରୁ ଅଧିକ ବାଂଲାଦେଶୀ
ନୂଆଦିଲ୍ଲୀ: ଅଶାନ୍ତ ବାଂଲାଦେଶ, ଚିନ୍ତାରେ ପଡ଼ିଛି ଭାରତ । ପଡ଼ୋଶୀ ଦେଶର ବିଷମ ସ୍ଥିତି ଉପରେ ନୂଆଦିଲ୍ଲୀର ତୀକ୍ଷ୍ଣ ନଜର ରହିଛି । ଏସମୟରେ କଣ ହେବା ଦରକାର, ଭାରତର ଆଭିମୁଖ୍ୟ ? ସର୍ବଦଳୀୟ ବୈଠକ ଡାକି ପରାମର୍ଶ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ଅନ୍ୟପଟେ ଭାରତୀୟ ସଂସଦରେ ମଙ୍ଗଳବାର ବାଂଲାଦେଶକୁ ନେଇ ଝଡ଼ ଦେଖିବାକୁ ମିଳିଛି ।
ରାଜ୍ୟସଭାରେ ବୈଦେଶିକମନ୍ତ୍ରୀ ଏସ୍ ଜୟଶଂକର କହିଛନ୍ତି ବାଂଲାଦେଶରେ ୧୯ ହଜାର ଭାରତୀୟ ରହିଛନ୍ତି । ଏହାସହ ସେ ଢାକାର ସେନା ସହ ସମ୍ପର୍କରେ ଥିବା କଥା ମଧ୍ୟ ଜଣାଇଛନ୍ତି। ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ି ଭାରତ ଆସିଥିଲେ । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବା ପରେ ଲୋକେ ଭାରତମୁହାଁ ହେବାରେ ଲାଗିଛନ୍ତି। ବିଶେଷକରି ପଶ୍ଚିମବଙ୍ଗ ସୀମାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ବୁଧବାର ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପ୍ରଘଟ ହେବାରେ ଲାଗିଛି, ଯେଉଁଥିରେ ୫୦୦ରୁ ଅଧିକ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାକୁ ସୀମାରେ ଜଗି ବସିଛନ୍ତି। ହେଲେ ବିଏସଏଫ ଯବାନମାନେ ହସ୍ତକ୍ଷେପ କରିବାରୁ ସେମାନେ ସୀମା ଭିତରକୁ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। ଅନୁପ୍ରବେଶକାରୀମାନେ ବାଂଲାଦେଶର ପଞ୍ଚଗଡ଼ ଜିଲା ସୀମାନ୍ତରେ ରହିଛନ୍ତି।
ସେମାନେ ଉକ୍ତ ସ୍ଥାନ ଛାଡ଼ି ଯାଉନାହାନ୍ତି। ପଶ୍ଚିମବଙ୍ଗର ଜଲପାଇଗୁଡ଼ି ସୀମାନ୍ତକୁ ଏହି ଅଞ୍ଚଳ ଲାଗିଛି। ସୁରକ୍ଷାରେ ସାମାନ୍ୟ କୋହଳ ହେଲେ ଭାରତରେ ପ୍ରବେଶ କରିବାକୁ ଯୋଜନା ଥିବା କୁହାଯାଉଛି। ଅନୁପ୍ରବେଶକାରୀମାନେ କହିଛନ୍ତି ଯେ, ବାଂଲାଦେଶୀ ମୁସଲମାନମାନେ ସେମାନଙ୍କ ଘର ପୋଡ଼ାଜଳା କରିଦେଇଛନ୍ତି। ସେଥିପାଇଁ ସେମାନେ ଜୀବନ ବଞ୍ଚାଇବା ଲାଗି ଭାରତରେ ଆଶ୍ରୟ ନେବାକୁ ଚାହୁଁଛନ୍ତି।












Click it and Unblock the Notifications