ଭିସା ନିୟମକୁ କଡ଼ାକଡ଼ି କଲେ ବ୍ରିଟେନ୍ ସରକାର: ଚିନ୍ତାରେ ଭାରତୀୟ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ବ୍ରିଟେନ୍ ସରକାର ନେଲେ ବଡ଼ ନିଷ୍ପତ୍ତି । ଭିସା ନିୟମକୁ କଡ଼ାକଡ଼ି କରିଛନ୍ତି ବ୍ରିଟେନ୍ ସରକାର । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ବ୍ରିଟେନରେ ବଢୁଥିବା ପ୍ରବାସୀ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଋଷି ସୁନକ ଭିସା ନିୟମକୁ କଡାକଡି କରିବାକୁ ଘୋଷଣା କରିଛନ୍ତି । ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, "ଆମେ ଇମିଗ୍ରେସନକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ନୂଆବର୍ଷଠାରୁ ବ୍ରିଟେନକୁ ଆସୁଥିବା ବିଦେଶୀ ଛାତ୍ରମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାଙ୍ଗରେ ଆଣି ପାରିବେ ନାହିଁ ।

ଏହାର ଅର୍ଥ ହେଉଛି ବର୍ତ୍ତମାନ ବ୍ରିଟେନରେ ପଢିବାକୁ ଯାଉଥିବା ଛାତ୍ରମାନେ ସେମାନଙ୍କ ପରିବାରର କୌଣସି ସଦସ୍ୟଙ୍କୁ ସାଙ୍ଗରେ ନେଇ ପାରିବେ ନାହିଁ। ଗତ ବର୍ଷ ମେ ମାସରେ ଏହି ନୂତନ ଭିସା ନିୟମ ପ୍ରଣୟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ସୁନକ ଇମିଗ୍ରେସନ ବୃଦ୍ଧି ହେତୁ ବହୁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏହାପରେ ଭିସା ନିୟମରେ ଏଭଳି ପରିବର୍ତ୍ତନ କରାଯାଇଛି ।
ଭାରତରୁ କେତେ ଛାତ୍ର ବ୍ରିଟେନକୁ ଯାଆନ୍ତି?
ଗତ ବର୍ଷ ଜୁନ୍ ମାସରେ ବ୍ରିଟେନ ୧ ଲକ୍ଷ ୪୨ ହଜାର ୮୪୮ ଛାତ୍ରଙ୍କୁ ଭିସା ଦେଇଥିଲା। ଏହି ସଂଖ୍ୟା ୨୦୨୨ ମସିହାର ତୁଳନାରେ ୫୮ ପ୍ରତିଶତ ଅଧିକ ଥିଲା। ବ୍ରିଟିଶ ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ବ୍ରିଟେନର ଅଧିକାଂଶ ବିଦେଶୀ ଛାତ୍ର ଭାରତରୁ ଆସିଛନ୍ତି। ଏହା ମୋଟ ଛାତ୍ରମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ । ସ୍ନାତକୋତ୍ତର ସ୍ତରରେ ଆନ୍ତର୍ଜାତୀୟ ଛାତ୍ରମାନଙ୍କର ଅଭିବୃଦ୍ଧି ବାର୍ଷିକ ପ୍ରାୟ ୧୦ ପ୍ରତିଶତ ରହିଛି। ୟୁକେ ହୋମ ଅଫିସ୍ ତଥ୍ୟ ଅନୁଯାୟୀ, ୨୦୨୨-୨୩ ମସିହାରେ ଇଂଲଣ୍ଡରେ ମୋଟ ୧୩୯,୭୦୦ ଭାରତୀୟ ଛାତ୍ର (ସମୁଦାୟର ୩୦ ପ୍ରତିଶତ) ଉଚ୍ଚଶିକ୍ଷାରେ ପ୍ରବେଶ କରିଥିଲେ। ବ୍ରିଟିଶ ସରକାରଙ୍କ ନୂତନ ଭିସା ନିୟମ ଲାଗୁ ହେବା ପରେ ବିଦେଶୀ ଛାତ୍ରମାନଙ୍କ ସମସ୍ୟା ବୃଦ୍ଧି ପାଇଛି। ଏବେ ସେମାନଙ୍କୁ ଅନେକ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ ।












Click it and Unblock the Notifications