ଖୁବଶୀଘ୍ର ବୋର୍ଡ ଓ ନିଗମ ନିଯୁକ୍ତି, ୪୪ ସରକାରୀ ଉଦ୍ୟୋଗକୁ ତଥ୍ୟ ମାଗିଲା ସାଧାରଣ ପ୍ରଶାସନ ବିଭାଗ
ଖୁବ ଶୀଘ୍ର ରାଜ୍ୟରେ ଖାଲି ପଡ଼ିଥିବା ବିଭିନ୍ନ ବୋର୍ଡ ଓ ରାଜ୍ୟ ସରକାରୀ ଉଦ୍ୟୋଗ (ପିଏସୟୁ)ଗୁଡ଼ିକର ବିଭିନ୍ନ ପଦବି ପୂରଣ ହେବ । ରାଜ୍ୟର ବିଭିନ୍ନ ବୋର୍ଡର ସଭାପତି ଓ ନିଗମଗୁଡ଼ିକର ଅଧ୍ୟକ୍ଷ ପଦରେ ମଧ୍ୟ ନିଯୁକ୍ତି ମିଳିବ । ଏଥିରେ ନେତାଙ୍କୁ ଥଇଥାନ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସମସ୍ତ ୪୪ଟି ସରକାରୀ ଉଦ୍ୟୋଗକୁ ତଥ୍ୟ ମଗାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଗସ୍ତ ଯୋଗୁ ନିଯୁକ୍ତି ନେଇ ବ୍ୟାପକ ସମ୍ଭାବନା ଦେଖାଦେଇଛି ଯାହାକୁ ନେଇ ଆଶାୟୀ ନେତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ସାଧାରଣ ପ୍ରଶାସନ ବିଭାଗ ଚଳିତ ମାସ ୮ ତାରିଖରେ ନିଗମ ଓ ବୋର୍ଡର ପଦବି ନେଇ ତଥ୍ୟ ଦେବାକୁ ରାଜ୍ୟ ସରକାରୀ ଉଦ୍ୟୋଗ ସଚିବଙ୍କୁ ଚିଠି ଲେଖିଛି । ରାଜ୍ୟରେ ନୂଆ ସରକାର ହେବାଠୁ ଏ ପର୍ଯ୍ୟନ୍ତ ଏହି ଉଦ୍ୟୋଗଗୁଡ଼ିକରେ କେତେ ନିଯୁକ୍ତି ହୋଇଛି, ତାହାର ବିସ୍ତୃତ ଭାବେ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ବିଶେଷ କରି ୨୦୨୪ ଜୁନ୍ ୧୨ରୁ ୨୦୨୬ ଏପ୍ରିଲ ୩୦ତାରିଖ ମଧ୍ୟରେ କେଉଁ ପିଏସୟୁରେ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଗାମୀ ଜୁନ୍ ୩୦ ତାରିଖ ସୁଦ୍ଧା କେଉଁ ସବୁ ପଦବିରେ ନିଯୁକ୍ତି ଦିଆଯିବ, ସେ ତଥ୍ୟ ଦେବାକୁ କୁହାଯାଇଛି ।
ଆଗାମୀ ଦିନରେ ଆଉ କେତେ ନିଯୁକ୍ତିର ସମ୍ଭାବନା ରହିଛି, ସେସବୁ ବିଭାଗକୁ ଇ-ମେଲରେ ଦେବାକୁ ନିର୍ଦ୍ଦେଶ ରହିଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦେବବ୍ରତ ମଲ୍ଲିକ ତୁରନ୍ତ ସୂଚନା ପ୍ରଦାନ କରିବାକୁ କହିଛନ୍ତି । ଏହାବାଦ୍ ପିଏସୟୁରେ ଖାଲି ପଦବି ଓ ମୋଟ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ମଗାଯାଇଛି । ଗ୍ରୁପ୍ ଏ, ବି, ସି ଓ ଡିରେ କେତେ ଅନୁମୋଦନ ହୋଇଥିଲା ଓ ଏବେ କେତେଜଣ ଅଛନ୍ତି, ତାହା ଜଣାଇବାକୁ କୁହାଯାଇଛି ।












Click it and Unblock the Notifications