ଆଜିଠୁ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ; ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି । ଆଜିଠୁ ଦଳର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ନେତାମାନଙ୍କୁ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ଉଦଘାଟନ କରିବେ । ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନେତା ଓ କାର୍ଯ୍ୟକତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଓଡିଶାରୁ ରାଜ୍ୟ ବିଜେପିର ନେତୃବୃନ୍ଦ ମଧ୍ୟ ଦିଲ୍ଲୀଗସ୍ତ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଦିଲ୍ଲୀଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅନ୍ୟାନ୍ୟ ନେତୃବୃ୍ଦ ମଧ୍ୟ ଦିଲ୍ଲୀ ଯାଇଛନ୍ତି ।

ଏହି ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ରାଜ୍ୟ କୋର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି ସଦସ୍ୟ, ଲୋକସଭା ପ୍ରଭାରୀ, ସଂଯୋଜକ, ବିସ୍ତାରକ, ରାଜ୍ୟ ମୁଖପାତ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନେ ଯୋଗ ଦେବେ ।
ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚୂଡାନ୍ତ ରଣନୀତି ପ୍ରସ୍ତୁତ ହେବ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାମାନଙ୍କୁ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ । କେମିତି ନିର୍ବାଚନ ପରିଚାଳନା କରିବେ, କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ସେ ନେଇ ଦଳୀୟ ନେତା ମାନଙ୍କୁ ଟିପ୍ସ ଦିଆଯିବ ।
୧୮ତାରିଖରେ ପ୍ରଧାନମନ୍ତ୍ରୀ ଅଧିବେଶନର ସମାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ରଖିବେ । ନେତା ଓ କାର୍ଯ୍ୟକର୍ତାଙ୍କୁ ପ୍ରଧାନମନ୍ତ୍ରୀ ଓ ଶୀର୍ଷ ନେତୃତ୍ୱଙ୍କ ଟିପ୍ସ, ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ୍ କରିବାରେ ସହାୟକ ହେବ ବୋଲି ଦଳ ଆଶା ରଖିଛି ।
ସାରାଦେଶରୁ ପାଖାପାଖି ୧୧ହଜାର ନେତା ଓ କର୍ମକର୍ତ୍ତା ଏହି ଦୁଇ ଦିନିଆ ବୈଠକରେ ସାମିଲ ହେଉଛନ୍ତି । ଓଡିଶାରୁ ରାଜ୍ୟ ବିଜେପି ସଭାପତିଙ୍କ ସମେତ ପାଖାପାଖି ୨୮୮ ଜଣ କାର୍ଯ୍ୟକର୍ତ୍ତା ଏହି ବୈଠକରେ ସାମିଲ ହେବାକୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।












Click it and Unblock the Notifications