କିଏ ହେବେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ? କିଏ ଧରିବେ ଦଳର ମଙ୍ଗ ?
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ 2024ରେ ବିଜୟୀ ହେବା ସହ ତୃତୀୟ ଥର ପାଇଁ ସରକାର ଗଢିଛି ବିଜେପି ନେତୃତ୍ୱ ଏନଡିଏ । ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ପୁଣି ଶପଥ ନେବା ସହ କ୍ୟାବିନେଟ୍ ମନ୍ତ୍ରୀ ମାନେ ମଧ୍ୟ ଶପଥ ନେଇଛନ୍ତି । ଏହି ତାଲିକାରେ ସ୍ଥାନ ପାଇଛନ୍ତି ବିଜେପିର ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜ ପେ ନଡ୍ଡା ।
ଏହା ପରେ ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ନୂଆ ନେତା ବିଜେପିର ମଙ୍ଗ ଧରିବେ । ତେବେ ଦଳର କମାଣ କାହା ହାତରେ ରହିବ, କିଏ ଦଳକୁ ଅଧ୍ୟକ୍ଷତା କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ବିଜେପିର 'ଗୋଟିଏ ବ୍ୟକ୍ତି, ଗୋଟିଏ ପଦ' ନୀତିକୁ ଦେଖିଲେ ଦଳକୁ ଖୁବ୍ ଶୀଘ୍ର ନୂଆ ସଭାପତି ମିଳିବ । 2019 ମେ' ମାସରେ ମୋଦୀ କ୍ୟାବିନେଟରେ ଗୃହମନ୍ତ୍ରୀ ଭାବେ ଯୋଗ ଦେଇଥିବା ଅମିତ ଶାହାଙ୍କ ଠାରୁ ନଡ୍ଡା ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଅମିତ ଶାହାଙ୍କ ନେତୃତ୍ୱରେ ବିଜେପି ଉଭୟ 2014 ଓ 2019 ରେ ସଫଳତାର ସହ ଲଢ଼ିଥିଲା ।
ନଡ୍ଡାଙ୍କ ପାଞ୍ଚ ବର୍ଷ କାର୍ଯ୍ୟକାଳ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ 6 ମାସ ମଧ୍ୟରେ 29 ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରୁ 16 ଟି ରାଜ୍ୟରେ ଏକାକୀ କିମ୍ବା ସହଯୋଗୀ ଦଳ ସହ କ୍ଷମତାକୁ ଆସି 55% ଷ୍ଟ୍ରାଇକ୍ ହାର ପ୍ରଦାନ କରିଥିଲେ ।
ହରିୟାଣା (2019), ବିହାର (2020), ଆସାମ ଏବଂ ପୁଡୁଚେରୀ (2021), ଗୋଆ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୁଜୁରାଟ (2022), ତ୍ରିପୁରା, ନାଗାଲାଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ (2023) ଏବଂ ଚଳିତ ବର୍ଷ ଅରୁଣାଚଳ ପ୍ରଦେଶ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ଦଳ ତାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିଛି । ମହାରାଷ୍ଟ୍ର, ଝାଡଖଣ୍ଡ (2019), ଦିଲ୍ଲୀ (2020), ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ (2021), ପଞ୍ଜାବ, ହିମାଚଳ ପ୍ରଦେଶ (2022), ମେଘାଳୟ, କର୍ଣ୍ଣାଟକ, ମିଜୋରାମ, ତେଲେଙ୍ଗାନା (2023) ଏବଂ ସିକ୍କିମ୍ (2024) ରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଜେ ପି ନଡ୍ଡାଙ୍କ ସମ୍ପ୍ରସାରଣ ସମୟ ଚଳିତ ମାସ ଶେଷ ହେବ । ଏହା ପରେ ଦଳ କାହାକୁ ପରବର୍ତ୍ତୀ ଅଧ୍ୟକ୍ଷ କରିବ ତାକୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ କଳ୍ପନାଜଳ୍ପନା ଜାରି ରହିଛି । ସାଧାରଣ ନିର୍ବାଚନ ପୂର୍ବରୁ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ କର୍ଣ୍ଣଲରୁ ସାଂସଦ ମନୋହର ଲାଲ ଖଟ୍ଟର ନଡ୍ଡାଙ୍କ ସ୍ଥାନ ନେବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ, ସେ ମଧ୍ୟ ମୋଦୀଙ୍କ ତୃତୀୟ ପାଳିରେ କ୍ୟାବିନେଟ୍ ପାହ୍ୟା ପାଇଛନ୍ତି ।
ଏହା ସହ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ଶିବରାଜ ସିଂ ଚୌହାନଙ୍କୁ ଦଳର ସଭାପତି କରାଯାଇପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଥିଲା । ଭୁପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଏହି ତାଲିକାରେ ଥିଲା । ଏପରିକି ବିଜେପିର ନୂଆ ଅଧ୍ୟକ୍ଷ ପଦ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ଥିଲା । କିନ୍ତୁ ଏମାନେ ସମସ୍ତେ ମୋଦୀ କ୍ୟାବିନେଟ୍ ରେ ସାମିଲ ହୋଇଛନ୍ତି ।
ଏଥି ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଙ୍କ ନାଁ ମଧ୍ୟ ସଭାପତି ଦୌଡ଼ରେ ରହିଛି । ଚଳିତ ବର୍ଷ ଅକ୍ଟୋବରରେ ମହାରାଷ୍ଚ୍ର ବିଧାନସଭା ନିର୍ବାଚନ ଥିବାରୁ ଦେବେନ୍ଦ୍ର ରାଜ୍ୟ ରାଜନୀତି ଉପରେ ମଧ୍ୟ ଫୋକସ୍ କରିବାକୁ ହେବ । ତେବେ ଦଳ କାହା ଉପରେ ଭରସା କରିବ ତାହା ଦେଖିବା ବାକି ରହିଲା ।












Click it and Unblock the Notifications