ବିଜେପିର ଜଲୱା, ପୌର ନିର୍ବାଚନରେ ମାରିଲା ବାଜି
ମାସକ ପୂର୍ବେ ହରିୟାଣା ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଏବେ ପୌର ନିର୍ବାଚନରେ ନିଜର ଆଧିପତ୍ୟ ଜାହିର କରିଛି ବିଜେପି। ବିଜେପିର ମେୟର ପ୍ରାର୍ଥୀମାନେ କଂଗ୍ରେସ ନେତା ଭୂପିନ୍ଦର ହୁଡାଙ୍କ ଗଡ଼ ଭାବେ ଜଣାଶୁଣା ରୋହତକ ସମେତ ୧୦ଟି ନଗର ନିଗମରୁ ୯ଟିରେ ଆଗୁଆ ଅଛନ୍ତି। ବିଧାନସଭା ନିର୍ବାଚନର ପରାଜୟ ପରେ ପୌର ନିର୍ବାଚନରେ ବିଜୟୀ ହେବ ବୋଲି ଆଶା ରଖିଥିବା କଂଗ୍ରେସ ନିଜର ଖାତା ଖୋଲିପାରିନାହିଁ।
ବିଜେପିର ମେୟର ପ୍ରାର୍ଥୀମାନେ ଅମ୍ବାଲା, ଗୁରୁଗ୍ରାମ, ସୋନିପତ, ରୋହତକ ଏବଂ କର୍ଣ୍ଣଲ ଆସନ ଜିତିସାରିଥିବା ବେଳେ ଫରିଦାବାଦ, ପାନିପତ, ହିସାର ଏବଂ ଯମୁନାନଗରରେ ଆଗରେ ଅଛନ୍ତି। ମନେସରରେ ସ୍ବାଧୀନ ପ୍ରାର୍ଥୀ ଇନ୍ଦରଜିତ ଯାଦବ ବିଜେପିର ସୁନ୍ଦର ଲାଲଙ୍କୁ ପରାସ୍ତ କରିଛନ୍ତି । ଅମ୍ବାଲାରେ ବିଜେପିର ଶୈଳଜା ସଚଦେବ ବିଜୟୀ ହୋଇଥିବା ବେଳେ ଗୁରୁଗ୍ରାମରେ ରାଜ ରାଣୀ ମେୟର ଆସନରେ ବିଜୟୀ ହୋଇଛନ୍ତି ।

ଏହା ସହ ବରିଷ୍ଠ ବିଜେପି ନେତା ରାଜୀବ ଜୈନ ସୋନିପତରେ କଂଗ୍ରେସର କୋମଲ ଦିୱାନଙ୍କୁ ପରାସ୍ତ କରିଛନ୍ତି। କର୍ଣ୍ଣଲରେ, ବିଜେପିର ରେଣୁ ବାଳା ଗୁପ୍ତା କଂଗ୍ରେସର ମନୋଜ ୱାଧୱାଙ୍କୁ ପରାସ୍ତ କରିଛନ୍ତି। ଭୂପିନ୍ଦର ହୁଡାଙ୍କ ଗଡ଼ ଭାବେ ଜଣାଶୁଣା ରୋହତକରେ ସୂରଜମଲ କିଲୋଇଙ୍କୁ ପରାସ୍ତ କରି ବିଜେପିର ରାମ ଅବତାର ବିଜୟୀ ହୋଇଛନ୍ତି।












Click it and Unblock the Notifications