40 ଫୁଟ ବୋରୱେଲକୁ ଖସି ପଡିଥିବା ଶିଶୁ ଶିବମ ଉଦ୍ଧାର
ପାଟନା: ଉଦ୍ଧାର ହେଲା ବୋରୱେଲରେ ପଡି ଯାଇଥିବା ଶିଶୁ । ଦୀର୍ଘ ସାଢେ ଆଠ ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର କରିଛନ୍ତି NDRF ଟିମ୍ । ଆଜି (ରବିବାର) ସକାଳେ ବିହାର ନାଳନ୍ଦାର କୁଲ ଗାଁର ଶିବମ ଖେଳୁଥିବା ସମୟରେ ବୋରୱେଲରେ ପଡି ଯାଇଥିଲା । ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ ।
ତେବେ ଶିଶୁଟିକୁ ଉଦ୍ଧାର କରିବା ପରେ ବର୍ତ୍ତମାନ ତାକୁ ହସ୍ପିଟାଲ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଶିବମର ସ୍ୱାସ୍ଥ୍ୟ ବର୍ତ୍ତମାନ କେମିତି ଅଛି ସେନେଇ କୌଣସି ସଠିକ୍ ସୂଚନା ମିଳି ପାରିନି । ବୋରୱେଲ ଭିତରୁ ଉଦ୍ଧାର କରିବା ପରେ ତୁରନ୍ତ ଶିବମକୁ ଆମ୍ବୁଲାନ୍ସରେ ବସାଇ ହସ୍ପିଟାଲକୁ ନିଆଯାଇଛି ।

ପ୍ରାଥମିକ ଅବସ୍ଥାରେ ଜଣେ ଅଧିକାରୀ କହିଥିଲେ ଯେ, "ଉଦ୍ଧାର କାର୍ଯ୍ୟର ନିରାପତ୍ତା ଏବଂ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ପାଇଁ ଏହି ଅଞ୍ଚଳକୁ ନଜରରେ ରଖାଯାଇଛି । NDRF ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଶିଶୁକୁ ଉଦ୍ଧାର କରାଯିବା ପରେ ତୁରନ୍ତ କିପରି ଚିକିତ୍ସା ସହାୟତା ଯୋଗା ଦିଆଯିବ ସେଥିପାଇଁ ଅମ୍ଳଜାନ ସୁବିଧା ସହ ମେଡିକାଲ୍ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି।"
ସୂଚନାଯୋଗ୍ୟ ଯେ, ଡୋମନ୍ ମାଞ୍ଝୀଙ୍କ ପୁଅ ଶିବମ କୁମାର ରବିବାର ସକାଳ ୯ଟା ବେଳେ ଖେଳୁଥିବାବେଳେ, ଅଚାନକ ବୋରୱେଲ ଭିତରେ ପଡିଯାଇଥିଲେ । ଏହାପରେ କୁନି ପୁଅଟି ସହ ଖେଳୁଥିବା ତା ସାଙ୍ଗମାନେ ଆସି ଘରେ ସୂଚନା ଦେଇଥିଲେ । ପରେ ପରେ ଉକ୍ତ ସ୍ଥାନରେ ଲୋକଙ୍କ ଗହଳି ଲାଗିଥିଲା, ଆଉ ଏବେ ଉଦ୍ଧାର କରିବାକୁ ଏନଡିଆରଏଫ୍ ଟିମ୍ ଆସି ପହଞ୍ଚିଥିଲା ।
ଏହି ବୋରୱେଲର ଗଭୀରତା ରହିଥିଲା ୧୫୦ ଫୁଟ୍ । ହେଲେ କୁନି ପୁଅଟି କିନ୍ତୁ ୨୦ରୁ ୩୦ ଫୁଟ୍ ଗଭୀରରେ ଅଟକି ରହିଥିଲା । ଦ୍ୱିପହର ପ୍ରାୟ ସାଢେ ୧ଟା ବେଳେ ପାଟଣାରୁ ଏନଡିଆରଏଫ୍ ଟିମ୍ ଆସି ପହଞ୍ଚିଥିଲା । ତା ସହିତ ଜିଲ୍ଲା ପ୍ରଶାସନ ତରଫରୁ ବୋରୱେଲ ଭିତରକୁ ସିସିଟିଭି କ୍ୟାମେରା ପହଞ୍ଚାଇ ଶିଶୁଟି ଉପରେ ନଜର ରଖିଥିଲା । ଶେଷରେ ଦୀର୍ଘ ସମୟର ରେସ୍କ୍ୟୁ ଅପରେସନ୍ ପରେ ଏନଡିଆରଏଫ୍ ଶିବମକୁ ଉଦ୍ଧାର କରିଛି ।












Click it and Unblock the Notifications