ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ଘରେ ଇଡି ରେଡ୍
୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରୀ ଦେଇଥିବା ନେଇ ଅଭିଯୋଗ ହୋଇଛି ।

ନୂଆଦିଲ୍ଲୀ: ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀର ବାସଭବନରେ ଇଡି ଆଜି ରେଡ୍ କରିଛି । 'ଚାକିରି ବଦଳରେ ଜମି' ମାମଲାକୁ କେନ୍ଦ୍ର କରି ରେଡ୍ କରାଯାଇଛି । ଦେଶର ରାଜଧାନୀର ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ଥିବା ଆରଜେଡି ନେତାଙ୍କ ବାସଭବନରେ ଇଡି ଅଧିକାରୀମାନେ ସକାଳ 8.30 ରେ ରେଡ୍ ଆରମ୍ଭ କରିଥିଲେ । ଏହା ସହିତ ଏଜେନ୍ସି ଏହି ଘଟଣାରେ ବିହାରର ଅନେକ ସହର ଉପରେ ଚଢାଉ କରିଛି ।
କିଛି ଦିନ ପୂର୍ବରୁ ସିବିଆଇ ଲାଲୁ ପ୍ରସାଦ ଯାଦବ ଏବଂ ପତ୍ନୀ ରାବ୍ରୀ ଦେବୀଙ୍କୁ ଜେରା କରିଥିଲା । ସେହିପରି ବର୍ତ୍ତମାନ ତେଜସ୍ୱୀ ଏବଂ ତାଙ୍କ ଭଉଣୀଙ୍କ ଘରେ ରେଡ୍ କରିଛି । ଏଥି ସହିତ ଇଡି ଅଧିକାରୀମାନେ ଉତ୍ତରପ୍ରଦେଶର ଗାଜିଆବାଦରେ ସମାଜବାଦ ପାର୍ଟି ନେତା ଜିତେନ୍ଦ୍ର ଯାଦବଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା । ଜିତେନ୍ଦ୍ର ଯାଦବ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରାଗିଣୀଙ୍କ ସ୍ୱାମୀ । ତିନୋଟି ରାଜ୍ୟରେ ୧୫ଟି ସ୍ଥାନରେ ଆଜି ଚଢାଉ କରାଯାଇଛି ।
ବିହାରର ପାଟନାସ୍ଥିତ ଆରଜେଡି ନେତା ଆବୁ ଡୋଜାନାଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। ଲାଲୁ ପ୍ରସାଦଙ୍କ ଝିଅ ରାଗିନି ଯାଦବ, ଚନ୍ଦା ଯାଦବ ଏବଂ ହେମା ଯାଦବ ଏବଂ ପାଟନା, ଫୁଲୱାରିଶରିଫ, ଦିଲ୍ଲୀ-ଏନସିଆର, ରାଞ୍ଚି ଏବଂ ମୁମ୍ବାଇରେ ଥିବା ଆରଜେଡି ବିଧାୟକ ଆବୁ ଦୋଜାନାଙ୍କ ସହ ସମ୍ପୃକ୍ତ ପରିସରରେ ଏହି ଚଢାଉ କରାଯାଉଛି ବୋଲି ଇଡି ଅଧିକାରୀ କହିଛନ୍ତି।
ସୂଚନାଥାଉ ଯେ, ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରୀ ଦେଇଥିବା ନେଇ ଅଭିଯୋଗ ହୋଇଛି । ସିବିଆଇ ରୁଜୁ କରିଥିବା ଏହି ମାମଲାରେ ଲାଲୁ, ତାଙ୍କୁ ଝିଅ ମିଶା ଓ ହେମାଙ୍କ ବ୍ୟତୀତ ଅନ୍ୟ ପରିବାର ସଦସ୍ୟଙ୍କ ନାଁ ମଧ୍ୟ ସାମିଲ ଅଛି ।












Click it and Unblock the Notifications