ସମ୍ପତ୍ତି ତାଲିକା ଘୋଷଣା କଲେ ବିହାର ମୁଖ୍ୟମନ୍ତ୍ରୀ, ପାଖରେ ରହିଛି ନଗଦ ୨୦ ହଜାର ଟଙ୍କା ; ଜାଣନ୍ତୁ ଆଉ କଣ
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାଙ୍କ କ୍ୟାବିନେଟର ସବୁ ସଦସ୍ୟମାନେ ଗୁରୁବାର ସମ୍ପତ୍ତିି ତାଲିକା ଘୋଷଣା କରିଛନ୍ତି। ନୀତୀଶଙ୍କ ନିକଟରେ ନଗଦ ୨୦,୫୫୨ ଟଙ୍କା ଥିବାବେଳେ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ୨୭,୨୧୭ ଟଙ୍କା ଜମା ଥିବା ଦର୍ଶାଇଛନ୍ତି। ଏହାବ୍ୟତୀତ ଦିଲ୍ଲୀ ସ୍ଥିତ ସଂସଦ ଭବନ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ୩୩୫୮ ଟଙ୍କା ଏବଂ ବୋରିଂ ରୋଡ୍ ପିଏନ୍ବି ଆକାଉଣ୍ଟରେ ୨୭,୧୯୧ ଟଙ୍କା ଜମା ଥିବା ଜଣାପଡିଛି। ନୀତୀଶଙ୍କର ଫୋର୍ଡ ଇକୋ ସ୍ପୋର୍ଟସ କାର ରହିଛି ଯାହାର ମୂଲ୍ୟ ୧୧,୩୨,୭୫୩ ଟଙ୍କା। ତାଙ୍କ ନିକଟରେ ୨.୦୩ ଲକ୍ଷ ଟଙ୍କାର ସ୍ବର୍ଣ୍ଣାଳଙ୍କାର ଥିବାବେଳେ ୧୭,୬୬,୧୯୬ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ଦିଲ୍ଲୀର ଦ୍ବାରକା ଅଞ୍ଚଳରେ ନୀତୀଶଙ୍କର ୧.୪୮ କୋଟି ଟଙ୍କା ମୂଲ୍ୟର ଏକ ଫ୍ଲାଟ ମଧ୍ୟ ରହିଛି।

ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନିକଟରେ ନଗଦ ୧.୩୫ ଲକ୍ଷ ଟଙ୍କା ଥିବାବେଳେ ଷ୍ଟେଟ ବ୍ୟାଙ୍କରେ ୧୫ ଲକ୍ଷ ୩୫ ହଜାର ଏବଂ ଏଚଡିଏଫସି ବ୍ୟାଙ୍କରେ ୨.୯ ଲକ୍ଷ ଟଙ୍କା ଜମା ରହିଛି। ନିଜର ପତ୍ନୀ, ପୁଅ ଓ ଝିଅ ନାମରେ ସେ ଏକାଧିକ ବ୍ୟାଙ୍କରେ ଟଙ୍କା ଜମା କରିଥିବାବେଳେ ସେୟାର ମାର୍କେଟରେ ମଧ୍ୟ ପୁଞ୍ଜି ବିନିଯୋଗ କରିଛନ୍ତି। ସମ୍ରାଟଙ୍କର ୭ ଲକ୍ଷ ଟଙ୍କା ମୂଲ୍ୟର ବୋଲେରୋ ନିଓ ଯାନ ଥିବାବେଳେ ପତ୍ନୀଙ୍କ ନିକଟରେ ୨୦ ଲକ୍ଷ ଟଙ୍କାର ସ୍ବର୍ଣ୍ଣାଳଙ୍କାର, ନଗଦ ୩୫ ହଜାର ଟଙ୍କା, ପାଟନା ସହରରେ ୨୯ ଲକ୍ଷ ଟଙ୍କାର ଏକ ଫ୍ଲାଟ ରହିଥିବା ଜଣାପଡିଛି। ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫୫ ଲକ୍ଷ ଟଙ୍କା ଜମା ଥିବାବେଳେ ତାଙ୍କ ନିକଟରେ ନଗଦ ୮୮,୫୬୦ ଟଙ୍କା ରହିଛି।












Click it and Unblock the Notifications