Bihar Assembly Election 2025: ବିହାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ରେକର୍ଡ ୬୪.୬୬ ପ୍ରତିଶତ ମତଦାନ
ବିହାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ରେକର୍ଡ ୬୪.୬୬ ପ୍ରତିଶତ ମତଦାନ ହୋଇଛି । ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ବିଗତ ବର୍ଷ ଗୁଡିକରେ ରାଜ୍ୟରେ ହୋଇଥିବା ମତଦାନ ହାର ଠାରୁ ଏହି ମତଦାନ ହାର ସର୍ବାଧିକ । ବିହାର ବିଧାନସଭା ନିର୍ବାଚନରେ ସର୍ବାଧିକ ମତଦାନ ହାର ୬୨.୬% ରହିଥିଲା । ଏହି ରେକର୍ଡ ୨୦୦୦ ମସିହାରେ ହୋଇଥିଲା। ସେହିପରି ରାଜ୍ୟର ଲୋକସଭା ନିର୍ବାଚନର ମତଦାନ ହାର ରେକର୍ଡ ହେଉଛି ୬୪.୬% । ଯାହା ୧୯୯୮ ମସିହାରେ ରେକର୍ଡ କରାଯାଇଥିଲା। ଏହା ସହିତ ଇସିଆଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

ରାଜ୍ୟର ୧୮ଟି ଜିଲାର ୧୨୧ଟି ଆସନ ପାଇଁ ଗୁରୁବାର ମତଦାନ ହୋଇଥିଲା। ଏହା ମଧ୍ୟରେ ବେଗୁସରାଇ ଜିଲାରେ ସର୍ବାଧିକ ୬୭.୩୨ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି। ଏହା ପଛକୁ ଗୋପାଳଗଞ୍ଜ ଜିଲାରେ ୬୪.୯୬, ମୁଜାଫରପୁରରେ ୬୪.୬୩%, ଲଖିସରାଇରେ ୬୨.୭୬%, ମାଧେପୁରରେ ୬୫.୭୪%, ଭୋଜପୁରରେ ୫୩.୨୪%, ବକ୍ସାରରେ ୫୮.୩୮%, ଦରଭଙ୍ଗାରେ ୬୦.୬୫%, ନାଳନ୍ଦାରେ ୬୨.୬୫%, ସହର୍ସାରେ ୬୬.୬୫% ମତଦାନ ହୋଇଛି । ଆଜିର ମତଦାନ ଶେଷ ସହିତ ୧୩୧୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ଆଜିର ମତଦାନ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିବାବେଳେ ଲଖିସରାଇ ଜିଲାରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଓ ମାନଝି ବିଧାନସଭା କ୍ଷେତ୍ର ଗସ୍ତ ସମୟରେ ସିପିଆଇ(ଏମଏଲ୍) ବିଧାୟକ ସତ୍ୟେନ୍ଦ୍ର ଯାଦବଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମ ପର୍ଯାୟ ନିର୍ବାଚନ ପ୍ରକ୍ରିୟାକୁ ୬ଟି ଦେଶର ୧୬ଜଣିଆ ଆନ୍ତର୍ଜାତିକ ପ୍ରତିନିଧି ଦଳ ଅନୁଧ୍ୟାନ କରିଛନ୍ତି । ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ନଭେମ୍ବର ୧୪ରେ ଭୋଟ ଗଣତି ହେବ ।
ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ୭ଟି ରାଷ୍ଟ୍ରର ୧୬ଟି ପ୍ରତିନିଧି ଦଳ ଏହି ପ୍ରକ୍ରିୟା ଏବଂ ଏ ବାବଦ ପ୍ରସ୍ତୁତି ଦେଖିଛନ୍ତି । ଇଣ୍ଡୋନେସିଆ, କଲମ୍ବିଆ, ଫିଲିପାଇନ୍ସ, ଫ୍ରାନ୍ସ, ବେଲଜିୟମ, ଦକ୍ଷିଣ ଆଫ୍ରିକା ଏବଂ ଥାଇଲାଣ୍ଡର ପ୍ରତିନିଧି ଦଳ ଏବେ ନିର୍ବାଚନ ପ୍ରସ୍ତୁତି ଅନୁଧ୍ୟାନ ପାଇଁ ବିହାରରେ ଅଛନ୍ତି। ଭାରତୀୟ ନିର୍ବାଚନ କମିସନ୍ର ଇଣ୍ଟରନାସ୍ନାଲ୍ ଇଲେକ୍ଟର୍ସ ଭିଜିଟର୍ ପ୍ରୋଗ୍ରାମ ଅଧୀନରେ ଏହି ପ୍ରତିନିଧି ଦଳଙ୍କୁ ଭାରତ ଅଣାଯାଇଛି। ଥାଇଲାଣ୍ଡର ଜଣେ ପ୍ରତିନିଧି ଆଜି ପାଟନାରେ ଏକ ଭୋଟିଂ ବୁଥ୍ରେ ପହଞ୍ଚି ଭୋଟିଂ ପ୍ରକ୍ରିୟାକୁ ଭଲଭାବେ ଅନୁଧ୍ୟାନ କରିଥିଲେ। ଅନ୍ୟପକ୍ଷେ ନିର୍ବାଚନ ନିର୍ବାଚନ ଆୟୋଗର ଶୀର୍ଷ ଅଧିକାରୀମାନେ ଆଜି ବିଭିନ୍ନ ଭୋଟିଂ ବୁଥ୍ରେ ଉପଲବ୍ଧ ଥିବା ଲାଇଭ ଫିଡ୍ ଦ୍ବାରା ମତଦାନ ପ୍ରକ୍ରିୟାକୁ ଲଗାତାର ଅନୁଧ୍ୟାନ କରିଥିଲେ। ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଭୋଟିଂ ବୁଥ୍ରେ ସିସିଟିଭି ଲଗାଯାଇଛି। ଅଧିକାରୀମାନେ କହିଛନ୍ତି, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିସନର ଏସ୍ ଏସ୍ ସନ୍ଧୁ ଏବଂ ବିବେକ ଯୋଶୀ ନିର୍ବାଚନ ସଦନର କଣ୍ଟ୍ରୋଲ ରୁମ୍ରେ ମତଦାନ ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିଛନ୍ତି।












Click it and Unblock the Notifications