ହାଥରସ ଦଳାଚକଟା ଘଟଣା: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦିଆଗଲା SIT ରିପୋର୍ଟ
Hathras Stampede: ଉତ୍ତରପ୍ରଦେଶର ହାଥରସ ଦଳାଚକଟା ଘଟଣାରେ ଏସଆଇଟି ରିପୋର୍ଟ ପ୍ରକାଶ ପାଇଛି । ୟୁପି ଡିଜି ପ୍ରଶାନ୍ତ କୁମାର ଏବଂ ମୁଖ୍ୟ ସଚିବ ମନୋଜ କୁମାର ସିଂ ଶୁକ୍ରବାର ସକାଳେ 5 କାଲିଦାସ ମାର୍ଗରେ CM ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏସଆଇଟିର 15 ପୃଷ୍ଠାର ରିପୋର୍ଟ ଦେଇଥିବା ନେଇ ସୂଚନା ରହିଛି ।
24 ଘଣ୍ଟା ମଧ୍ୟରେ ଏହି ରିପୋର୍ଟ ଉପସ୍ଥାପନ କରିବାକୁ ସିଏମ୍ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଥିଲେ । ଏଡିଜି ଆଗ୍ରା ଏବଂ ଆଲିଗଡ କମିଶନରଙ୍କ ନେତୃତ୍ୱରେ ଏସଆଇଟିର ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। 15 ପୃଷ୍ଠାର ଏହି ବିସ୍ତୃତ ରିପୋର୍ଟରେ, DM ଏବଂ SP ସମେତ ପ୍ରାୟ 100 ଜଣଙ୍କ ବିବୃତ୍ତି ରେକର୍ଡ କରାଯାଇଛି ।

SIT ଟିମ୍ ପ୍ରଶାସନିକ ଅଧିକାରୀ, ଘଟଣା ସହ ଜଡିତ ଲୋକ ଏବଂ ସେବା କର୍ମଚାରୀଙ୍କ ସହ କଥାବାର୍ତ୍ତା କରି ସମଗ୍ର ଦୁର୍ଘଟଣାର କାରଣ, ଆୟୋଜକଙ୍କ ବିଷୟରେ ଏବଂ ଅନ୍ୟାନ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଡିଜିପି ପ୍ରଶାନ୍ତ କୁମାର ହାଥରସ ମାମଲା ସହିତ ଜଡିତ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟରେ କିଛି ରାଜନୈତିକ ବ୍ୟକ୍ତିଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି, ଯେଉଁମାନଙ୍କ ନିର୍ବାଚନରେ ବାବାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ବ୍ୟତୀତ ପ୍ରତ୍ୟେକ ବିଷୟରେ ଉଲ୍ଲେଖ କରାଯାଇଛି ଯେଉଁଥିରେ ଏହି ବାବାଙ୍କର ସମ୍ପର୍କ ରହିଛି ।
ଏହାପୂର୍ବରୁ ବୁଧବାର ଦିନ ସିଏମ ଯୋଗୀ ଆଦିତ୍ୟନାଥ ନିଜେ ହାଥରସ୍ ଗସ୍ତ କରି ଉକ୍ତ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ । ସେ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ସରକାରୀ ଡାକ୍ତରଖାନା ଯାଇ ଭେଟିବା ସହ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଏବଂ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସିଏମ୍ ଯୋଗୀ କହିଛନ୍ତି ଯେ, ଯେତେବେଳେ ସତସଙ୍ଗରେ ଅବସ୍ଥା ବିଗିଡିଯାଇଥିଲା ସେତେବେଳେ ବାବାଙ୍କ ସେବକମାନେ ମଧ୍ୟ ଉକ୍ତ ସ୍ଥାନ ଛାଡି ସେଠାରୁ ପଳାଇ ଯାଇଥିଲେ।
ସିଏମ୍ ଯୋଗୀ ଆଦିତ୍ୟନାଥ ମଧ୍ୟ ହାଥରସ୍ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ SDM ରିପୋର୍ଟରେ ଦର୍ଶାଯାଇଥିଲା ଯେ ଏହି ବାବାଙ୍କ ସତସଙ୍ଗରେ ଯୋଗଦେବା ପାଇଁ କେବଳ 80 ହଜାର ଲୋକଙ୍କ ଅନୁମତି ନିଆଯାଇଥିଲା, କିନ୍ତୁ ଏଥିରେ 2.5 ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ।
ସୂଚନାଥାଉ ଯେ, ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 123କୁ ବୃଦ୍ଧି ପାଇଛି। ଲୋକସଭାରେ କଂଗ୍ରେସ ନେତା ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ଆଜି ଆଲିଗଡ ଏବଂ ହାଥରସରେ ପହଞ୍ଚି ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ।












Click it and Unblock the Notifications