ବାଗେଶ୍ୱର ଧାମ୍ ଆଶ୍ରମ ପରିସରରେ ବଡ଼ ଅଘଟଣ, ଚାଲିଗଲା ଭକ୍ତଙ୍କ ଜୀବନ
ମଧ୍ୟପ୍ରଦେଶର ଛତରପୁର ଜିଲାର ପ୍ରସିଦ୍ଧ ବାଗେଶ୍ୱର ଧାମ୍ ଆଶ୍ରମ ପରିସରରେ ବଡ଼ ଅଘଟଣ ଘଟିଛି। ବାବାଙ୍କ ଜନ୍ମଦିନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଏକ ତମ୍ବୁ ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନ୍ୟ ୩ରୁ ୪ ଜଣ ଆହତ ହୋଇଛନ୍ତି। ଏହି ଘଟଣା ସକାଳ ୭ ଟା ସମୟରେ ଆରତୀ ପରେ ଘଟିଥିଲା, ଯେତେବେଳେ ଭକ୍ତମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ତମ୍ବୁ ତଳେ ଆଶ୍ରା ନେଇଥିଲେ।

ମୃତକଙ୍କ ନାମ ଶ୍ୟାମଲାଲ କୌଶଲ ବୋଲି ଚିହ୍ନଟ କରାଯାଇଛି, ଯିଏକି ଉତ୍ତର ପ୍ରଦେଶର ଅଯୋଧ୍ୟାର ବାସିନ୍ଦା। ତାଙ୍କ ଜ୍ୱାଇଁ ରାଜେଶ କୁମାର କୌଶଲ କହିଛନ୍ତି ଯେ ତମ୍ବୁରୁ ଏକ ଲୁହା ରେଲିଂ ତାଙ୍କ ମୁଣ୍ଡରେ ବାଜିବା ପରେ ଶ୍ୟାମଲାଲଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ରାଜେଶ କୁମାର କୌଶଲ ନିଜେ ଏବଂ ସୌମ୍ୟ, ପାରୁଲ ଏବଂ ଉନ୍ନତି ସମେତ ପରିବାରର ୩ ରୁ ୪ ଜଣ ସଦସ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଛତରପୁର ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରାଜେଶ କହିଛନ୍ତି ଯେ ସେ ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କ ସହିତ ବୁଧବାର ରାତିରେ ଅଯୋଧ୍ୟାରୁ ବାଗେଶ୍ୱର ଧାମରେ ପହଞ୍ଚିଥିଲେ। ଶୁକ୍ରବାର ଧାମର ପୀଠାଧୀଶ୍ୱର ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଜନ୍ମଦିନ ଏବଂ ସେ ଗୁରୁବାର ସକାଳେ ତାଙ୍କୁ ଭେଟିବାକୁ ଆସିଥିଲେ। ଜିଲା ହସ୍ପିଟାଲର ଡାକ୍ତର ନରେଶ ତ୍ରିପାଠି କହିଛନ୍ତି ଯେ ମୃତକଙ୍କୁ ବାଗେଶ୍ୱର ଧାମରୁ ଅଣାଯାଇଥିଲା ଏବଂ ପରିବାର ସଦସ୍ୟ କହିଛନ୍ତି ଯେ ତମ୍ବୁ ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications