କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି , ଏବେ ସବୁ ସ୍କୁଲରେ ନିରାପତ୍ତା ଯାଞ୍ଚ ବାଧ୍ୟତାମୂଳକ
ରାଜସ୍ଥାନରେ ଏକ ବିଦ୍ୟାଳୟରେ ଛାତ ଭୁଶୁଡ଼ି ୭ ପିଲାଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସରକାରୀ ବିଦ୍ୟାଳୟରେ ନିରାପତ୍ତା ଯାଞ୍ଚ (ସେଫ୍ଟି ଅଡିଟ୍) ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯାଇଛି ।

ଅଗ୍ନି ନିରାପତ୍ତା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ବୈଦ୍ୟୁତିକ ତାର ଆଦିର ଯାଞ୍ଚ ଉପରେ ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛି। କର୍ମଚାରୀ ଏବଂ ଶିକ୍ଷାର୍ଥୀଙ୍କୁ ଜରୁରୀକାଳୀନ ପ୍ରସ୍ତୁତି ତାଲିମ ସୁନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଯେଉଁଥିରେ ସ୍ଥାନାନ୍ତର ଅଭ୍ୟାସ, ପ୍ରାଥମିକ ଚିକିତ୍ସା ଏବଂ ସୁରକ୍ଷା ପ୍ରୋଟୋକଲ ଆଦି ଅନ୍ତର୍ଭୁକ୍ତ। ଏହାସହ ଶିକ୍ଷାର୍ଥୀଙ୍କ ମନସ୍ତାତ୍ତ୍ବିକ ବିକାଶ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଅଭିଭାବକ, ସ୍ଥାନୀୟ ବ୍ୟକ୍ତିବିଶେଷ ବିଦ୍ୟାଳୟରେ ବିପଦ କିମ୍ବା ଅସୁରକ୍ଷିତ ପରିସ୍ଥିତି ନେଇ ଅବଗତ କରିପାରିବେ। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ବହୁ ବିଦ୍ୟାଳୟ ଘର ଏବେବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସରକାରଙ୍କ ପକ୍ଷରୁ କେତେଗୁଡ଼ିଏ ଅସୁରକ୍ଷିତ ଶ୍ରେଣୀଗୃହକୁ ଭାଙ୍ଗିବାକୁ ନିର୍ଦେଶ ଦିଆଯାଇଥିଲା। ଆଉ କିଛି ଶ୍ରେଣୀଗୃହ ମରାମତି ହୋଇଥିଲା। ତେବେ ନିରାପତ୍ତା ଯାଞ୍ଚ ହେଉନଥିବାରୁ ବହୁ ଶ୍ରେଣୀଗୃହ ଏବେବି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।












Click it and Unblock the Notifications