ବଡ ଦୁର୍ଘଟଣା ; ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ, ୮ ମୃତ
ପ୍ରବଳ ବର୍ଷା ହେଉଥିବା ବେଳେ ଏକ ବସ୍ ବ୍ରିଜ୍ ତଳକୁ ଖସି ପଡ଼ିବାରୁ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ପଞ୍ଜାବର ବଠିଣ୍ଡାରେ ଆଜି ଘଟିଛି ଏହି ଦୁର୍ଘଟଣା।

ବସ୍ଟିରେ ୨୦ରୁ ଅଧିକ ଯାତ୍ରୀ ଥିଲେ। ବସ୍ଟି ବଠିଣ୍ଡାରୁ ତାଲୱଣ୍ଡି ସାବୋ ଅଭିମୁଖେ ଯାଉଥିଲା। ଅଧିକ ବର୍ଷା ହେଉଥିବାରୁ ଡ୍ରାଇଭର ଜାଣି ନପାରିବାରୁ ବସ୍ଟି ବ୍ରିଜ୍ ତଳକୁ ଖସି ପଡ଼ିଥିଲା ବୋଲି କୁହାଯାଉଛି। ବ୍ରିଜ୍ଟିରେ ସୁରକ୍ଷା ବାଡ଼ା ନଥିଲା। ସେଥିପାଇଁ ବସ୍ଟି ବ୍ରିଜ୍ ତଳକୁ ଖସି ପଡ଼ିଲା।
ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନେ ଦୁର୍ଘଟଣାଗ୍ରସ୍ତ ବସ୍ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲେ। ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁ ବସ୍ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଲେ ନା ଆଉ କିଛି ଘଟିଛି, ସେ ନେଇ ତଦନ୍ତ କରାଯାଉଛି।












Click it and Unblock the Notifications