ଟମାଟୋ ବୋଝେଇ ଟ୍ରକକୁ ଅପହରଣ କଲେ ଦମ୍ପତ୍ତି, ମଣ୍ଡିରେ ଟମାଟୋ ବିକି ଦେଇ ଟ୍ରକ ଛାଡ଼ି ଫେରାର
ବେଙ୍ଗାଲୁରୁ: ଟମାଟୋ ବୋଝେଇ ଟ୍ରକକୁ ଅପହରଣ କଲେ ଲୁଟେରା । ଟମାଟୋ ଏବେ ଅମୂଲ୍ୟ ହୋଇଥିବା ବେଳେ ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି ।

ତେବେ ତାଠୁ ବଡ଼ ଆଶ୍ଚର୍ଯ୍ୟର କଥା ଏହା ଯେ, ଜଣେ ଦମ୍ପତି ଏହି ଟମାଟୋ ବୋଝେଇ ଟ୍ରକକୁ ଅପହରଣ କରିଛନ୍ତି । ଏହି ଦମ୍ପତିଙ୍କୁ ତାମିଲନାଡୁର ଭେଲୋର ଜିଲ୍ଲାରୁ ଗିରଫ କରାଯାଇଛି । ଏହି ଦମ୍ପତି ଯେଉଁ ଟ୍ରକକୁ ଅପହରଣ କରି ନେଇଥିଲେ ସେଥିରେ ୨.୫ ଟନ୍ ଟମାଟୋ ବୋଝେଇ ହୋଇଥିଲା । ଏହି ଦମ୍ପତି ଟମାଟୋକୁ ନେଇ ଯାଇ ମଣ୍ଡିରେ ବିକି ଦେଇଥିଲେ ଓ ଖାଲି ଟ୍ରକକୁ ଛାଡି ଫେରାର ହୋଇ ଯାଇଥିଲେ ।
ମିଳିଥିବା ସୂଚନାନୁସାରେ, ଟମାଟୋ ବୋଝେଇ ଟ୍ରକଟି ପ୍ରଥମେ ଏକ କାରକୁ ଧକ୍କା ଦେଇଥିଲା । କାରର କାଚ ଭାଙ୍ଗି ଯାଇଥିବା କହି ଦମ୍ପତି କ୍ଷତିପୂରଣ ମାଗିଥିଲେ । ଡ୍ରାଇଭର ଟଙ୍କା ଦେବାକୁ ମନା କରିବାରୁ ସେମାନେ ଟମାଟୋ ବୋଝେଇ ଟ୍ରକ ନେଇ ଫେରାର ହୋଇଥିଲ । ଘଟଣା ଜୁଲାଇ ୮ ତାରିଖରେ ଘଟିଥିଲା ।
ଟମାଟୋ ବୋଝେଇ ଟ୍ରକ ଅପହରଣ କରିଥିବା ଏହି ଦମ୍ପତି ହେଉଛନ୍ତି ୨୮ ବର୍ଷୀୟ ଭାସ୍କର ଓ ତାଙ୍କ ୨୬ ବର୍ଷୀୟା ପତ୍ନୀ ସିନ୍ଧୁଜା । ଏହି ଦମ୍ପତି ହାଇୱେ ଉପରେ ଟ୍ରକ ଡ୍ରାଇଭରଙ୍କୁ ଧମକାଇ ସେମାନଙ୍କ ଠାରୁ ପଇସା ଲୁଟ କରିଥାନ୍ତି ।












Click it and Unblock the Notifications