ଭାରତ ଫେରିବ ମେହୁଲ ଚୋକସି, ପ୍ରତ୍ୟର୍ପଣକୁ ମଞ୍ଜୁର ଦେଲେ ବେଲଜିୟମ କୋର୍ଟ
ବହୁକୋଟି ଟଙ୍କାର ପିଏନବି (PNB) ଠକେଇର ଅନ୍ୟତମ ଅଭିଯୁକ୍ତ ତଥା ପଳାତକ ମେହୁଲ ଚୋକସି (Mehulchoksi) ସମ୍ପର୍କରେ ବେଲଜିୟମର ଏକ କୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଆଣ୍ଟୱର୍ପ କୋର୍ଟ ଚୋକସିଙ୍କ ଭାରତ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତୀୟ ଏଜେନ୍ସିଗୁଡ଼ିକର ଦାବି ବୈଧ ଏବଂ ବେଲଜିୟମ ପୁଲିସ ଦ୍ୱାରା ଗିରଫଦାରୀ ଆଇନଗତ ଭାବରେ ସଠିକ୍ ଥିଲା। ଏହି ନିଷ୍ପତ୍ତି ଭାରତୀୟ ଏଜେନ୍ସି, ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଁ ଏକ ବଡ଼ ଆଇନଗତ ବିଜୟ ହୋଇଛି।
କୋର୍ଟ ପ୍ରଥମେ ଉଭୟ ପକ୍ଷ ବେଲଜିୟମରେ ଭାରତ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଓ ଚୋକସିଙ୍କ ଓକିଲଙ୍କ ଯୁକ୍ତି ଶୁଣିଥିଲେ। ଏହାପରେ ଭାରତକୁ ପ୍ରତ୍ୟର୍ପଣ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଚୋକସିଙ୍କୁ ୧୧ ଏପ୍ରିଲ ୨୦୨୫ରେ ଆଣ୍ଟୱର୍ପ ପୋଲିସ ଗିରଫ କରିଥିଲା ଏବଂ ଗତ ୪ ମାସ ଧରି ସେ ଜେଲରେ ଅଛନ୍ତି। ବେଲଜିୟମର ବିଭିନ୍ନ କୋର୍ଟ ଦ୍ୱାରା ତାଙ୍କ ଜାମିନ ଆବେଦନ ଅନେକ ଥର ଖାରଜ କରାଯାଇଛି।

ସୂଚନା ଥାଉକି, ଚୋକସିଙ୍କ ବିରୁଦ୍ଧରେ ଭାରତରେ ଠକେଇ, ଷଡ଼ଯନ୍ତ୍ର କରିବା, ପ୍ରମାଣ ନଷ୍ଟ ଏବଂ ଦୁର୍ନୀତି ସମେତ ଅନେକ ଗମ୍ଭୀର ଅଭିଯୋଗର ରହିଛି। ତାଙ୍କ ବିରୁଦ୍ଧରେ IPC ଧାରା ୧୨୦ବି, ୨୦୧, -୪୦୯, ୪୨୦, ଏବଂ ୪୭୭ଏ, ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଏବଂ ୧୩ ଅନୁଯାୟୀ ଅଭିଯୋଗ ରହିଛି। ଏହି ଅପରାଧଗୁଡ଼ିକ ବେଲଜିୟମ ଆଇନ ଅନୁଯାୟୀ ମଧ୍ୟ ଦଣ୍ଡନୀୟ।
ତେବେ ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ(ପିଏନବି) ଠକେଇ ମାମଲାରେ ମେହୁଲ ଚୋକ୍ସି ଚର୍ଚ୍ଚାର ପରିସରକୁ ଆସିଥିଲେ। ମେହୁଲ ଚୋକସିଙ୍କ ବିରୋଧରେ ପିଏନ୍ବିରୁ ୧୩ ହଜାର ୮୫୦ କୋଟି ଠକେଇ କରିବାର ଅଭିଯୋଗ ରହିଛି। କେବଳ ସେତିକି ନୁହେଁ, ସେ ନକଲି ହୀରାକୁ ଅସଲି ଭାବରେ ବିକ୍ରି କରିବାର ସେ ଏକ ରାକେଟ ବି ଚଳାଇଥିଲେ। ତାଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଏବଂ ଠକେଇ କାରବାରର ଅଭିଯୋଗ ରହିଛି। ଏଥିସହିତ ତାଙ୍କ ବିରୁଦ୍ଧରେ ଏକାଧିକ ଠକେଇ ମାମଲା ରହିଛି।












Click it and Unblock the Notifications