ଭାରତ ଉପରେ ବାଂଲାଦେଶର 'ଭୁଲ ସୂଚନା ପ୍ରସାରଣ'
ବାଂଲାଦେଶର ପ୍ରମୁଖ ଭାରତବିରୋଧୀ ଯୁବନେତା ଓସମାନ ହାଦିଙ୍କ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ମେଘାଳୟ ସୀମା ଦେଇ ଭାରତକୁ ପଳାଇଯାଇଛନ୍ତି ବୋଲି ଢାକା ମହାନଗର ପୁଲିସ ଦାବି କରିଛି। ଅଭିଯୁକ୍ତ ଫୈସଲ କରିମ ମାସୁଦ ଓ ଆଲମଗିର ଶେଖ୍ ମୟମନସିଂହର ହାଲୁଆଘାଟ ସୀମା ଦେଇ ଭାରତରେ ପସିଛନ୍ତି ଏବଂ ସେମାନଙ୍କୁ ସ୍ଥାନୀୟ ସହଯୋଗୀ ମାନେ ମେଘାଳୟର ଟୁରା ସହରରେ ପହଞ୍ଚାଇଥିବା ନେଇ ପୁଲିସ ଦାବି କରିଛି।
ଏ ନେଇ ବାଂଲାଦେଶ ଗଣମାଧ୍ୟମ ତୁହାକୁ ତୁହା ମନଗଢ଼ା ଖବର ପରିବେଷଣ କରିଚାଲିଛି। ତେବେ ବାଂଲାଦେଶ ପୁଲିସ ଓ ଗଣମାଧ୍ୟମର ଅଭିଯୋଗ ଡାହା ମିଛ ବୋଲି ମେଘାଳୟ ପୁଲିସ ଓ ବିଏସ୍ଏଫ୍ ପକ୍ଷରୁ କୁହାଯାଇଛି। କେବଳ ଭାରତ ବିରୋଧରେ ବିଭ୍ରାନ୍ତି ସୃଷ୍ଟି ପାଇଁ ଏହି ଖବର ପ୍ରସାରିତ ହେଉଛି ଏବଂ ଏଥିରେ ସାମାନ୍ୟତମ ସତ୍ୟତା ନାହିଁ ବୋଲି ମେଘାଳୟ ପୁଲିସ ମୁଖ୍ୟାାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ବାଂଲାଦେଶ ପୁଲିସର ଅଭିଯୋଗକୁ ବିଏସ୍ଏଫ୍ ମଧ୍ୟ ଖଣ୍ଡନ କରି କହିଛି ଯେ ଏଭଳି କିଛି ଘଟିନଥିବା ବେଳେ ଏକତରଫା ଭାରତ ବିରୋଧୀ ବୟାନ ଦିଆଯାଉଛି ଏବଂ ବାଂଲାଦେଶ ଗଣମାଧ୍ୟମକୁ ଏଥିପାଇଁ ଅସ୍ତ୍ର କରାଯାଇଛି। ବାଂଲାଦେଶ ସରକାର ଅଭିଯୁକ୍ତମାନଙ୍କ ଗିରଫଦାରୀ ଓ ପ୍ରତ୍ୟର୍ପଣ ପାଇଁ ଭାରତ ସହ ଆନୁଷ୍ଠାନିକ ଭାବେ ଯୋଗାଯୋଗରେ ଥିବା ଖବର ମଧ୍ୟ ମିଥ୍ୟା ପ୍ରମାଣିତ ହୋଇଛି।

ବାଂଲାଦେଶରେ ଗତ ଜୁନ୍ରୁ ଚଳିତ ଡିସେମ୍ବର ମାସ ମଧ୍ୟରେ ହିନ୍ଦୁ ସଂଖ୍ୟାଲଘୁଙ୍କ ବିରୋଧରେ ଈଶ୍ବର ନିନ୍ଦା ଅଭିଯୋଗ ସହ ଜଡ଼ିତ ୭୧ଟି ଘଟଣା ସାମନାକୁ ଆସିଛି। ଏଚ୍ଆର୍ସିବିଏମ୍ (ହ୍ୟୁମାନ ରାଇଟ୍ସ କଂଗ୍ରେସ ଫର୍ ବାଂଲାଦେଶ ମାଇନୋରିଟିଜ୍) ଅର୍ଥାତ ବାଂଲାଦେଶ ସଂଖ୍ୟାଲଘୁଙ୍କ ପାଇଁ ମାନବାଧିକାର କଂଗ୍ରେସ ପକ୍ଷରୁ ଜାରି ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ଏଭଳି ସମୟରେ ଏହି ରିପୋର୍ଟ ଆସିଛି।
ଏଚ୍ଆର୍ସିବିଏମ୍ ରିପୋର୍ଟ ଦର୍ଶାଉଛି ଯେ ରଙ୍ଗପୁର, ଚାନ୍ଦପୁର, ଚଟଗ୍ରାମ, ଦିନାଜପୁର, ଲାଲମୋନିରହାଟ, ସୁନାମଗଞ୍ଜ, ଖୁଲନର, କୋମିଲ୍ଲା, ଗାଜିପୁର ସମେତ ୩୦ ଜିଲ୍ଲାରେ ଏହି ସବୁ ହିଂସା ଏବଂ ଆକ୍ରମଣ ହୋଇଛି। ରିପୋର୍ଟ ଅନୁଯାୟୀ ଈଶ ନିନ୍ଦା ଅଭିଯୋଗରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି, ଭିଡ଼ହିଂସା ହୋଇଛି ଏବଂ ସାମୁହିକ ଦଣ୍ଡ ମଧ୍ୟ ଦିଆଯାଇଛି। ଜୁଲାଇ ୨୭ ତାରିଖରେ ସବୁଠାରୁ ବଡ଼ ଧରଣର ହିଂସା ଉପୁଜିଥିଲା ଏବଂ ଅନେକ ହିନ୍ଦୁଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିଲା। ଗିରଫ ପରେ ଶତାଧିକ ହିନ୍ଦୁଙ୍କ ଘର ଭଙ୍ଗାରୁଜା କରାଯାଇଥିଲା।
ତେବେ ରିପୋର୍ଟରେ ମୋଟ୍ ୭୧ଟି ଆକ୍ରମଣ ଘଟଣା ଦର୍ଶାଯାଇଛି। ଏବେ ହିନ୍ଦୁମାନେ ସେଠାରେ ଅତ୍ୟନ୍ତ ଆତଙ୍କିତ ଜୀବନ ବିତାଉଛନ୍ତି। ଏଚ୍ଆର୍ସିବିଏମ୍ ରିପୋର୍ଟ ଦର୍ଶାଉଛି ଯେ ଫେସବୁକ୍ ପୋଷ୍ଟ୍ରୁ ଅଧିକାଂଶ ମାମଲା ସୃଷ୍ଟି ହୋଇଛି। ଅଧିକାଂଶ ମାମଲାରେ ଔପଚାରିକ ତଦନ୍ତ ଆରମ୍ଭ ହେବା ପୂର୍ବରୁ ଲୋକଙ୍କ ଚାପରେ ନିରୀହ ଲୋକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତଦନ୍ତରୁ ପ୍ରାୟ ସବୁ ଈଶ୍ବର ନିନ୍ଦା ମାମଲା ମିଥ୍ୟା ପ୍ରମାଣିତ ହୋଇଥିବା ବେଳେ କେବଳ ହିନ୍ଦୁଙ୍କୁ ଟାର୍ଗେଟ୍ କରିବା ପାଇଁ ଏଭଳି ଷଡ୍ଯନ୍ତ୍ର କରାଯାଉଥିବା ଜଣାପଡ଼ିଛି।












Click it and Unblock the Notifications