ଭିସା ପୁନଃ ଆରମ୍ଭ କଲା ବାଂଲାଦେଶ: ସୋମବାର ଠାରୁ ହେବ କାର୍ଯ୍ୟକ୍ଷମ
ବାଂଲାଦେଶର ତାରିକ ରହମାନଙ୍କ ନୂଆ ସରକାର ଭାରତ ସହିତ ସବୁ ପ୍ରକାର ସମ୍ପର୍କ ସୁଧାରିବାକୁ ପ୍ରଥମ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ପ୍ରଥମେ କ୍ରିକେଟ୍ ସମ୍ପର୍କ ସୁଧାରିବା ଦିଗରେ ବାଂଲାଦେଶ ଆଲୋଚନା କରିଥିବା ବେଳେ ଏବେ ଭାରତୀୟ ନାଗରିକଙ୍କ ପାଇଁ ପର୍ଯ୍ୟଟକ ଭିସା ଜାରି କରିବା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରଙ୍କ ଭାରତ ସହିତ ସମ୍ପର୍କ ତିକ୍ତ ପରେ ପର୍ଯ୍ୟଟକ ଭିସା ସ୍ଥଗିତ ରଖାଯାଇଥିଲା। ହେଲେ ତାରିକ ସରକାର ଏହାକୁ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂତ୍ରରୁ ତଥ୍ୟ ନେଇ ଏଏନ୍ଆଇ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁସାରେ ସୋମବାର ଠାରୁ ପର୍ଯ୍ୟଟନ ଭିସା ପୁନଃ ଆରମ୍ଭ ହେବ।

ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ଭାରତରେ ଥିବା ବାଂଲାଦେଶୀ କୂଟନୈତିକ ମିଶନରୁ ପର୍ଯ୍ୟଟକ ଭିସା ସେବାକୁ ସ୍ଥଗିତ କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ନିର୍ବାଚନ ପରେ ପରିସ୍ଥିତି ସ୍ଥିର ହୋଇଛି। ଯାହା ଫଳରେ ସରକାରଙ୍କୁ ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ପୁନଃସ୍ଥାପିତ କରିବାକୁ ଅନୁମତି ମିଳିଛି। ଏନେଇ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି"ଦିଲ୍ଲୀରେ ଥିବା ବାଂଲାଦେଶ ହାଇକମିଶନ ଏବଂ ଭାରତର ବିଭିନ୍ନ ସହର ଯେପରିକି ଗୌହାଟି, ଅଗରତାଲା, ମୁମ୍ବାଇ ଏବଂ କୋଲକାତାରେ - ଯେଉଁଠାରେ ବାଂଲାଦେଶୀ କୂଟନୈତିକ ମିଶନ ଅବସ୍ଥିତ - ପର୍ଯ୍ୟଟନ ଭିସା ବ୍ୟତୀତ ଅନ୍ୟାନ୍ୟ ଭିସା ସେବା ପ୍ରାୟତଃ ଚାଲୁଥିଲା। ତେବେ, ପର୍ଯ୍ୟଟନ ଭିସା ସାଧାରଣତଃ ବନ୍ଦ କରାଯାଇଥିଲା, ହେଲେ ଜରୁରୀ ପରିସ୍ଥିତିରେ ଏହା ଜାରି କରାଯାଉଥିଲା। ଯଦିଓ ଆମେ ଏହାକୁ ବନ୍ଦ ବୋଲି ଆନୁଷ୍ଠାନିକ ଭାବରେ ଘୋଷଣା କରି ନଥିଲୁ ତେଣୁ ଆମେ ଏହାକୁ ପୁନଃଆରମ୍ଭ କରାଯାଇଛି ବୋଲି ମଧ୍ୟ ଆନୁଷ୍ଠାନିକ ଭାବରେ ଘୋଷଣା କରୁନାହୁଁ। ପ୍ରକୃତରେ, ଏହା ଚାଲୁଥିଲା ଏବଂ ଏବେ ସୋମବାରଠାରୁ ଏହାକୁ ବ୍ୟାପକ ଭାବରେ ବିସ୍ତାର କରାଯିବ।"
ଫେବୃଆରୀ ୧୨ ତାରିଖରେ ନିର୍ବାଚନ ସମୟରେ, ବାଂଲାଦେଶ ସରକାର ଭାରତରେ ଥିବା ଏହାର ମିଶନଗୁଡ଼ିକୁ ଜାନୁଆରୀ ୧୫ ରୁ ଫେବୃଆରୀ ୧୫ ମଧ୍ୟରେ ପର୍ଯ୍ୟଟନ ଭିସା ପ୍ରଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତିରେ ଭିସା ପ୍ରଦାନ ଜାରି ରହିଥିଲା। ସୁରକ୍ଷା ଦୃଷ୍ଟିରୁ, ଭୁଟାନ ଏବଂ ନେପାଳ ଭଳି ଦେଶ ପାଇଁ ଭିସା ସେବାକୁ ମଧ୍ୟ ସମ୍ପୂର୍ଣ୍ଣ ସ୍ଥଗିତ କରାଯାଇଥିଲା। ଏବେ ପରିସ୍ଥିତି ସମୀକ୍ଷା କରିବା ପରେ, ବାଂଲାଦେଶ ସରକାର ସୋମବାର ଠାରୁ ସମସ୍ତ ସ୍ଥାନରୁ ପର୍ଯ୍ୟଟନ ଭିସା ସମେତ ସମସ୍ତ ବର୍ଗର ଭିସାକୁ ସମ୍ପୂର୍ଣ୍ଣ ପୁନଃଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବାଂଲାଦେଶ ଭାରତୀୟମାନଙ୍କ ପାଇଁ ପର୍ଯ୍ୟଟନ ଭିସା ସେବା ପୁନଃସ୍ଥାପିତ କରୁଥିବା ବେଳେ, ବାଂଲାଦେଶୀ ନାଗରିକମାନଙ୍କ ପାଇଁ ଭାରତୀୟ ପର୍ଯ୍ୟଟନ ଭିସା ସେବା ସ୍ଥଗିତ ରହିଛି, ଯଦିଓ ଅନ୍ୟ କିଛି ବର୍ଗ ଏବେ ବି କାର୍ଯ୍ୟକ୍ଷମ ଅଛି। ତେବେ ଭାରତ ଏବେ ବି ତାରିକ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିପାରି ନାହିଁ। ସମୟ ଆଗକୁ ଗଡ଼ିବା ସହିତ ବିଏନ୍ପି ସରକାରଙ୍କ କାର୍ଯ୍ୟ ଓ ଆଭିମୁଖ୍ୟ ଦେଖି ସାରିବା ପରେ ହୁଏତ ଭାରତ ସରକାର ବାଂଲାଦେଶ ପାଇଁ ବନ୍ଧୁତ୍ୱର ହାତ ବଢ଼ାଇପାରନ୍ତି।












Click it and Unblock the Notifications