Atal Bihari Vajpayee: ସଦୈବ ଅଟଳ; ଭାରତରତ୍ନ ଅଟଳ ବିହାରୀ ବାଜପେୟୀଜୀଙ୍କ ପୁଣ୍ୟତିଥି
୨୦୧୮ ଅଗଷ୍ଟ ୧୬ ତାରିଖ ଦିନ ଦିଲ୍ଲୀର ଏମ୍ସରେ ବାଜପେୟୀଙ୍କ ହୋଇଥିଲା ପରଲୋକଗମନ । ଭାରତମାତାର ସୁଯୋଗ୍ୟ ସନ୍ତାନ ଭାରତର ରତ୍ନ ଅଟଳଜୀ'ଙ୍କ ପୁଣ୍ୟତିଥି ଅବସରରେ ସେହି ଅମର ଆତ୍ମାଙ୍କୁ କୋଟି କୋଟି ନମନ । ଆଜି ତାଙ୍କ ପୂଣ୍ୟତିଥି । ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ ।
ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ୱାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବାଜପେୟୀଙ୍କ ପିତା କୃଷ୍ଣ ବିହାରୀ ବାଜପେୟୀ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳ ନିବାସୀ । କୃଷ୍ଣ ବିହାରୀ ଜଣେ କବି ଏବଂ ନିଜ ଗାଁ'ରେ ଶିକ୍ଷକତା କାର୍ଯ୍ୟ କରୁଥିଲେ। ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ। ଛାତ୍ର ଜୀବନରୁ ଅଟଳ ଜୀ' ଥିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର (ଆରଏସ୍ଏସ୍) ସ୍ୱୟଂସେବକ ।
ଗ୍ୱାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନ ଲକ୍ଷ୍ମୀବାଈ କଲେଜ)ରୁ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିବା ପରେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏମ୍ଏ ପରେ ପରେ ସେ କାନପୁରରେ ଏଲ୍ଏଲ୍ବି ପଢ଼ା ଆରମ୍ଭ କରିଥିଲେ । ତେବେ ମଝିରୁ ପାଠପଢ଼ା ଛାଡ଼ି ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କାର୍ଯ୍ୟରେ ନିଷ୍ଠାର ସହ ଲାଗି ଯାଇଥିଲେ ।

ବାଜପେୟୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ୧୯୪୨ରେ ଯାଇଥିଲେ ଜେଲ୍ । ୧୯୭୫ରେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ସେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ଏବଂ ଦେଶର ସବୁ ତୁଙ୍ଗ ବିରୋଧୀ ନେତାମାନଙ୍କୁ ଗିରଫ କରାଗଲା। ବାଜପେୟୀଙ୍କୁ ମଧ୍ୟ ୨୨ ମାସ କାଳ କାରାବରଣ କରିବାକୁ ପଡ଼ିଥିଲା ।
ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଅନ୍ୟତମ। ଜନସଂଘ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ରାଜନୈତିକ ଦଳର ମାନ୍ୟତା ପାଇଥିଲା। ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ। ବାଜପେୟୀ ୧୯୫୫ ମସିହାରେ ପ୍ରଥମ କରି ଲୋକସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୧୯୫୭ରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବାଜପେୟୀ ମାତ୍ର ୩୩ ବର୍ଷ ବୟସରେ ଉତ୍ତରପ୍ରଦେଶର ବଲରାମପୁର ଲୋକସଭା ଆସନରୁ ଜନସଂଘର ପ୍ରାର୍ଥୀ ଭାବେ ଜିତି ଲୋକସଭାକୁ ପ୍ରଥମ କରି ଯାଇଥିଲେ । ସେତେବେଳେ ସେ ଯେଉଁ ଭାଷଣ ଦେଇଥିଲେ, ତାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।
ଏପରିକି ନେହେରୁ କହିଥିଲେ, ଏହି ଯୁବକ ଜଣଙ୍କ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ। ୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ ବାଜପେୟୀ ୯ ଥର ଲୋକ ସଭାକୁ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ରେ ଦୁଇଥର ନିର୍ବାଚିତ ହୋଇ ମଝିରେ ମାତ୍ର ଦେଢ଼ ବର୍ଷକୁ ଛାଡ଼ି ଦେଲେ ସଂସଦରେ ୫୦ ବର୍ଷରୁ ଅଧିକ କାଳ ସଦସ୍ୟ ହୋଇ ରହିଛନ୍ତି। ଦେଶର ସେ ଏକମାତ୍ର ସାଂସଦ ଯିଏ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ ଏବଂ ଦିଲ୍ଲୀ-ଏହି ୪ଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି। ସେ ଲକ୍ଷ୍ମୌ ନିର୍ବାଚନ ମଣ୍ଡଳୀରୁ ଲଗାତର ୬ ଥର ବିଜୟୀ ହୋଇଥିଲେ। ୧୯୫୯ରୁ ୧୯୭୭ ପର୍ଯ୍ୟନ୍ତ ଜନତା ପାର୍ଟି ପ୍ରତିଷ୍ଠା ହେବା ଯାଏଁ ବାଜପେୟୀ ୨୦ ବର୍ଷ ଧରି ଜନସଂଘ ସଂସଦୀୟ ଦଳର ନେତା ଥିଲେ। ମୋରାରଜୀ ଦେଶାଇ ସରକାରରେ ସେ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ।
ତାଙ୍କ ବିବୃତି "ଆପଣ ବନ୍ଧୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡ଼ୋଶୀ ପରିବର୍ତ୍ତନ କରିପାରିବେ ନାହିଁ" ଯାହା ଆଜି ବୈଦେଶିକ ନୀତିରେ ଏକ ଜନପ୍ରିୟ ବିବୃତି ଭାବେ ଖ୍ୟାତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବାଜପେୟୀଙ୍କ ସେହି ବିବୃତିକୁ ବାରମ୍ବାର ଦୋହରାଇ ସାରିଛନ୍ତି। ବାଜପେୟୀ ପ୍ରଥମ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ, ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ।
୧୯୯୬ ମସିହାରେ ବାଜପେୟୀ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ତେବେ ସେ ୧୩ ଦିନ ପ୍ରଧାନମନ୍ତ୍ରୀ ପଦରେ ହିଁ ରହିପାରିଥିଲେ। ଏହାପରେ ୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ସମୟରେ ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ।
୧୯୯୮ ମେ ୧୩ ତାରିଖରେ ପୋଖରାନ୍ ଠାରେ କରାଯାଇଥିବା "ଅପରେସନ ଶକ୍ତି' ଥିଲା ତାଙ୍କ ନେତୃତ୍ବର ଆଉ ଏକ ବିରାଟ ପରାକାଷ୍ଠା l ଏହାଦ୍ୱାରା ସେ ବିଶ୍ୱରେ ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତକୁ ସାମିଲ୍ କରାଇଥିଲେ। ସେ ଏଭଳି କୌଶଳରେ ପରମାଣୁ ବୋମା ପରୀକ୍ଷା କରାଇଲେ ଏହାର ସୂଚନା ଆମେରିକା ମଧ୍ୟ ପାଇନଥିଲା।
ସେହିପରି ବାଜପେୟୀ ୧୦୦ ବର୍ଷର ପୁରାତନ କାବେରୀ ଜଳ ବିବାଦର ସମାଧାନ ମଧ୍ୟ କରିଥିଲେ। ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂତନ ଟେଲିକମ୍ ନୀତି ତଥା କୋଙ୍କଣ ରେଳବାଇର ଶୁଭାରମ୍ଭ ମାଧ୍ୟମରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ତୁଲାଇଥିଲେ ଉଲ୍ଲେଖନୀୟ ଭୂମିକା । ପୁଣି ସେ ଗଠନ କରିଥିଲେ ରାଷ୍ଟ୍ରୀୟ ସୁରକ୍ଷା ସମିତି, ଆର୍ଥିକ ପରାମର୍ଶଦାତା କମିଟି ଏବଂ ବ୍ୟାପାର ଓ ଉଦ୍ୟୋଗ କମିଟି ଭଳି ପରିବର୍ତ୍ତନକୁ ଧାର୍ ଧରାଇବା ଭଳି ପ୍ରତିଷ୍ଠାନ।
ବର୍ତ୍ତମାନର ସରକାରଙ୍କ ପ୍ରୟାସରେ ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ଡିସେମ୍ବର ୨୫, ତାଙ୍କ ଜନ୍ମତିଥିକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି l ବାଜପେୟୀଙ୍କ ସମ୍ମାନରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନବନିର୍ମିତ କ୍ରିକେଟ ଷ୍ଟାଡିୟମକୁ 'ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାଶନାଲ୍ କ୍ରିକେଟ୍ ଷ୍ଟାଡିୟମ' ନାମରେ ନାମକରଣ କରାଯାଇଛି।
୧୯୯୨ରେ ପଦ୍ମ ବିଭୂଷଣ, ୧୯୯୩ରେ କାନପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନ ଜନକ ଡକ୍ଟରେଟ୍ ଉପାଧି ୧୯୯୪ ମସିହାରେ ଲୋକମାନ୍ୟ ତିଳକ ପୁରସ୍କାର, ସର୍ବଶ୍ରେଷ୍ଠ ସାଂସଦ ପୁରସ୍କାର, ଭାରତରତ୍ନ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ପୁରସ୍କାର ଏବଂ ୨୦୧୪ ମସିହାରେ ଭାରତରତ୍ନ ଉପାଧିରେ ବାଜପେୟୀଙ୍କୁ ଭୂଷିତ କରାଯାଇଥିଲା ।
ବାଜପେୟୀ ଥିଲେ ଅବିବାହିତ । ବାର୍ଦ୍ଧକ୍ୟଜନିତ ରୋଗାକ୍ରାନ୍ତ କାରଣରୁ ଦୀର୍ଘଦିନ କାଳ ଶଯ୍ୟାଶାୟୀ ରହିବା ପରେ ୨୦୧୮ ଅଗଷ୍ଟ ୧୬ ତାରିଖ ଦିନ ଦିଲ୍ଲୀର ଏମ୍ସରେ ବାଜପେୟୀଙ୍କ ହୋଇଥିଲା ପରଲୋକଗମନ । ଭାରତମାତାର ସୁଯୋଗ୍ୟ ସନ୍ତାନ ଭାରତର ରତ୍ନ ଅଟଳଜୀ'ଙ୍କ ପୁଣ୍ୟତିଥି ଅବସରରେ ସେହି ଅମର ଆତ୍ମାଙ୍କୁ କୋଟି କୋଟି ନମନ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications