ଆଜି ଆସାମ, କେରଳମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ, ମେ'୪ରେ ଫଳାଫଳ ଘୋଷଣା
କେରଳମ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ମତଦାନ ହେବ । ମୋଟ ୨୯୬ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଲୋକେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସନ୍ଧ୍ୟା ୬ଟା ଯାଏ ଭୋଟିଂ ଚାଲିବ । ମେ' ୪ରେ ଫଳାଫଳ ସାମ୍ନାକୁ ଆସିବ । କେରଳର ୧୪୦ଟି ବିଧାନସଭା ଆସନରେ ମତଦାନ ହୋଇଛି । ସେଠାରେ ୮୮୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ୨.୭୧ କୋଟି ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେମାନଙ୍କ ମଧ୍ୟରୁ ୧.୩୨ କୋଟି ପୁରୁଷ ହୋଇଥିବା ବେଳେ ୧.୩୯ କୋଟି ମହିଳା । ସେଠାରେ ବାମଦଳ ନେତୃତ୍ୱାଧୀନ ଶାସକ ଏଲ୍ଡିଏଫ୍, କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଏବଂ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଛି । ୨୦୨୧ ବିଧାନସଭା ନିର୍ବାଚନ ସମୟରେ ସେଠାରେ ଏଲ୍ଡିଏଫ୍ ୯୯ଟି ଆସନରେ ବିଜୟୀ ହୋଇ କ୍ଷମତା ଦଖଲ କରିଥିଲା । ଏଥିସହ ପିନାରାୟୀ ବିଜୟନ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ୩୦ଟି ବିଧାନସଭା ଆସନରେ ମଧ୍ୟ ଭୋଟିଂ ହୋଇଛି । ସେଠାରେ ପ୍ରାୟ ୯.୫ ଲକ୍ଷ ଭୋଟର ୨୯୪ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ସେହି ଭୋଟରଙ୍କ ମଧ୍ୟରେ ୪.୪୩ ଲକ୍ଷ ପୁରୁଷ, ୫ ଲକ୍ଷ ମହିଳା ଏବଂ ୧୩୯ ଜଣ ତୃତୀୟ ଲିଙ୍ଗୀ ସାମିଲ ଅଛନ୍ତି । ୨୦୨୧ରେ ହୋଇଥିବା ପୂର୍ବଥର ନିର୍ବାଚନ ସମୟରେ ଏଆଇଏନ୍ଆରସି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ସେଠାରେ ସରକାର ଗଠନ କରିଥିଲା । ଏଥିସହ ଏନ୍ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।












Click it and Unblock the Notifications