'ଆସନ୍ତା ୨୫ ବର୍ଷକୁ ଦୃଷ୍ଟିରେ ରଖି ଭାରତ ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ଯାଉଛି'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱରେ ଦେଖାଦେଇଥିବା ଅନିଶ୍ଚିତତା ସତ୍ତ୍ୱେ ଭାରତର ସୁନିଶ୍ଚିତ ଦ୍ରୁତ ବିକାଶ ସମ୍ଭବ ବୋଲି ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ଗୌହାଟୀରେ ଆୟୋଜିତ ଆଡଭାଣ୍ଟେଜ୍ ଆସାମ ୨.୦ ପୁଞ୍ଜି ନିବେଶ ଓ ଭିତ୍ତିଭୂମି ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୨୫ ବର୍ଷକୁ ଦୃଷ୍ଟିରେ ରଖି ଭାରତ ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ଯାଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଶାସନ, ଯାହା ସବୁ ସମୟରେ ସଂସ୍କାରିତ ହୋଇ ଆଗକୁ ବଢ଼ୁଛି, ତାହା ଉପରେ ସାରା ବିଶ୍ୱର ଭରସା ରହିଛି। ଭାରତର ଯୁବପିଢ଼ି ସବୁବେଳେ ନିଜକୁ ଦକ୍ଷ କରିବା ସହିତ ନୂତନ ସ୍ୱପ୍ନ ପୂରଣ କରିବା ପାଇଁ ଆଗକୁ ବଢ଼ି ଚାଲିଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀରେ ଉଦ୍ଘାଟନୀ ଅଧିବେଶନ ସମେତ ଅନ୍ୟ ୧୪ଟି ଅଧିବେଶନ ରହିଛି । ଏଥିରେ ଶିଳ୍ପ ବିକାଶ, ବାଣିଜ୍ୟ ଭାଗିଦାରୀ ଏବଂ ଆସାମର ଏମ୍.ଏସ୍.ଏମ୍.ଇ. କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯିବ ।

ଏଥିରେ ୨୪୦ରୁ ଅଧିକ ପ୍ରଦର୍ଶନକାରୀ ଭାଗ ନେବେ । ପ୍ରଧାନମନ୍ତ୍ରୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଆସାମ ରାଜ୍ୟପାଳ ଏଲ୍.ପି. ଆଚାର୍ଯ୍ୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସମେତ ୬୧ଜର କୂଟନୀତିଜ୍ଞ ଓ ବିଭିନ୍ନ ଦେଶର ବ୍ୟବସାୟିକ ପ୍ରତିନିଧି ଦଳ ଯୋଗଦେଇଛନ୍ତ ।












Click it and Unblock the Notifications