ହଟହଟା କଲା ଗୁଗୁଲ୍ ମ୍ୟାପ୍, ଆସାମ ବଦଳରେ ନାଗାଲାଣ୍ଡ ପଳାଇଲା ଆସାମ ପୁଲିସ
ପୁଣି ଧୋକା ଦେଲା ଗୁଗୁଲ ମ୍ୟାପ୍। ବାଟ ଦେଖାଉଥିବା ଗୁଗୁଲ ମ୍ୟାପ୍ କଲା ବାଟବଣା। ଗୁଗୁଲ ମ୍ୟାପ୍କୁ ଭରସା କରି ଏଥର ଫସିଲା ପୁଲିସ। ଚଢ଼ାଉ ପାଇଁ ଆସାମ ଯାଉଥିବା ପୁଲିସକୁ ନାଗାଲାଣ୍ଡରେ ନେଇ ପହଞ୍ଚାଇଲା। ଫଳରେ ସେଠାକାର ଲୋକେ ଏବେ ପୁଲିସକୁ ବାନ୍ଧି ନେଲେ। ଖାଲି ସେତିକି ନୁହେଁ ପୋଲିସ ଟିମ୍ ଭୁଲ୍ ରାସ୍ତାରେ ଗଲେ ତ ଗଲେ ଉତ୍ତମ ମଧ୍ୟମ ବି ଖାଇଲେ। ସାଧା ପୋଷାକରେ ଥିବାରୁ ପୋଲିସଙ୍କୁ ଚିହ୍ନିପାରିଲେନି ଲୋକେ। ପୋଲିସଙ୍କ ହାତରେ ଅସ୍ତ୍ର ଦେଖି ଭାବିଦେଲେ ବଦମାସ୍। କାଳେ କିଛି ଅଘଟଣ ଘଟାଇଦେବେ ଭାବି ପୋଲିସଙ୍କୁ ବନ୍ଧକ ରଖି ନିସ୍ତୁକ ଛେଚିଲେ ଲୋକେ।
ବୁଧବାର ଆସାମ ଜୋରହାଟ ପୁଲିସର ଏକ ୧୬ ଜଣିଆ ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ କରୁଥିଲା। ଏହି ସମୟରେ ଗୁଗୁଲ ମ୍ୟାପ୍ର ସେମାନେ ସାହାରା ନେଇଥିଲେ। ହେଲେ ଗୁଗୁଲ୍ ମ୍ୟାପ୍ ତାଙ୍କୁ ଭୁଲ୍ ରୁଟ୍ ଦେଖାଇଥିଲା। ଫଳରେ ପୋଲିସ ଟିମ୍ ଆସାମ ଯିବା ବଦଳରେ ଅଜାଣତରେ ନାଗାଲାଣ୍ଡର ମୋକୋକଚୁଙ୍ଗ ଜିଲ୍ଲାରେ ପହଞ୍ଚି ଯାଇଥିଲା।
ସ୍ଥାନୀୟ ଲୋକଙ୍କୁ ରାସ୍ତା ପଚାରିବାରୁ ସେମାନେ ପୋଲିସଙ୍କୁ ବଦମାସ୍ ଭାବି ନେଇଥିଲେ। କାରଣ ୧୬ ଜଣଙ୍କ ଭିତରୁ କେବଳ ୩ ଜଣ ବର୍ଦ୍ଦିରେ ଥିଲେ। ଖାଲି ସେତିକି ନୁହେଁ ସ୍ଥାନୀୟ ଲୋକମାନେ ପୋଲିସଙ୍କ ହାତରେ ଅସ୍ତ୍ରଶସ୍ତ୍ର ଦେଖି ସେମାନଙ୍କୁ ରାତି ସାରା ବନ୍ଧକ ରଖି ନିର୍ଦ୍ଧୁମ ଛେଚିଥିଲେ।

ଟିମ୍ର ଜଣେ ପୋଲିସ କର୍ମୀ ସ୍ଥାନୀୟ ଲୋକଙ୍କ ମାଡ଼ରେ ଆହତ ହୋଇଥିଲେ। ଜୋରହାଟ ପୋଲିସ ଏନେଇ ସୂଚନା ପାଇବା ପରେ ତୁରନ୍ତ ମୋକୋକଚୁଙ୍ଗ ଏସପିଙ୍କ ସହ ଯୋଗାଯୋଗ କରିଥିଲେ। ଏକ ପୋଲିସ ଟିମ୍ ଯାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ତାଙ୍କ ଭୁଲ୍ ବୁଝି ପାରିଥିଲେ। ଏହାପରେ ଆସାମ ପୋଲିସଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା।












Click it and Unblock the Notifications