ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା, ଏହି ନେତା ଛାଡ଼ିଲେ ହାତ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳର ଭାରତ ମିଳିତ ମଞ୍ଚକୁ ଆଗେଇ ନେଉଥିବା କଂଗ୍ରେସ ନିଜ ନେତାଙ୍କ ଠାରୁ ଝଟକା ପରେ ଝଟକା ଖାଇବାରେ ଲାଗିଛି । ଲୋକସଭା ନିର୍ବାଚନ ପୂର୍ବରୁ ଆସାମ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସ ବିଧାୟକ ଭରତ ଚନ୍ଦ୍ର ନାରା ଦଳ ଛାଡିଛନ୍ତି । କୁହାଯାଇଛି ଯେ ସେ ବିଜେପିରେ ଯୋଗ ଦେଇପାରନ୍ତି ।
ସୂଚନାଯୋଗ୍ୟ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦାବି କରିଛନ୍ତି ଯେ ଆସାମ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭୁପେନ କୁମାର ବୋରା ଏବଂ ଭାରତ ନାରା ଭାଜପାରେ ଯୋଗ ଦେଇପାରନ୍ତି । ସେ କହିଥିଲେ ଯେ ଯଦି କଂଗ୍ରେସ ବିଧାୟକ ଭାରତ ନାରା ଦଳରୁ ଇସ୍ତଫା ଦିଅନ୍ତି, ତେବେ ସେ ଭାଜପାରେ ଯୋଗ ଦେଇ ପାରିବାର ସମ୍ଭାବନା ରହିଛି ।
ଗୋଟିଏ ଦିନ ପୂର୍ବରୁ ନାରା ଦଳର ମିଡିଆ ସେଲରୁ ଇସ୍ତଫା ଦେଇଥିଲେ । ଏହା ପରେ ସୋମବାର (୨୫ ମାର୍ଚ୍ଚ) ସେ ମଧ୍ୟ କଂଗ୍ରେସର ସଦସ୍ୟତା ଛାଡିଛନ୍ତି । ରବିବାର (୨୪ ମାର୍ଚ୍ଚ) ଆସାମରେ ଦଳର ମିଡିଆ ସେଲର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପତ୍ନୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାନୀ ନାରାଙ୍କୁ ଲକ୍ଷ୍ମୀପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ପାର୍ଟି ଟିକେଟ ଦେଇନଥିବାରୁ ନାରାଙ୍କ ଇସ୍ତଫା ଦେଇଥିବା କୁହାଯାଉଛି । କଂଗ୍ରେସ ଉଦୟ ଶଙ୍କର ହାଜାରିକାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି ।

ହଜାରିକା କିଛି ମାସ ପୂର୍ବରୁ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ପାର୍ଟି ସୂତ୍ରରୁ ପ୍ରକାଶ ଯେ ଲକ୍ଷ୍ମୀପୁରରୁ ପ୍ରାର୍ଥୀ ହେବା ପାଇଁ ରାନୀ ନାରା ଏବଂ ହଜାରିକାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । ଅନ୍ୟପଟେ ରାନୀ ଲକ୍ଷ୍ମୀପୁରରୁ ତିନିଥର ସାଂସଦ ରହିଛନ୍ତି ଏବଂ ରାଜ୍ୟସଭା ସଦସ୍ୟ ମଧ୍ୟ ରହିଛନ୍ତି ।
ସୂଚନାନୁଯୋଗ୍ୟ, ଆସାମର ୧୪ଟି ଲୋକ ସଭା ଆସନ ପାଇଁ ନିର୍ବାଚନ ତିନିଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ, ଦ୍ୱିତୀୟ ପର୍ଯ୍ୟାୟରେ ୨୬ଏପ୍ରିଲରେ ଏବଂ ତୃତୀୟ ପର୍ଯ୍ୟାୟରେ ୭ମେ'ରେ ଭୋଟିଂ ଅନୁଷ୍ଠିତ ହେବ । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ୫ଟି ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହେବ । ଏହା ବ୍ୟତୀତ ତୃତୀୟ ପର୍ଯ୍ୟାୟରେ ଚାରୋଟି ଆସନରେ ଭୋଟ ଗ୍ରହଣ କରାଯିବ ।












Click it and Unblock the Notifications