ରାହୁଲଙ୍କ ଘନିଷ୍ଠ ସହଯୋଗୀ ଗୌରବଙ୍କ ଉପରେ SIT ରିପୋର୍ଟ କେନ୍ଦ୍ରକୁ ପଠାଇବ ଆସାମ ସରକାର
ଆସାମ ସରକାର କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପାକିସ୍ତାନ ସହିତ କଥିତ ସମ୍ପର୍କ ସମ୍ପର୍କିତ ମାମଲାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର ଏକ କ୍ୟାବିନେଟ ବୈଠକ ପରେ ଏହା ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ସୂଚନା ଦେଇ ବିଶ୍ବଶର୍ମା କହିଥିଲେ, ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଭାରତ ବିରୋଧୀ ଷଡ଼ଯନ୍ତ୍ର ସମ୍ପର୍କରେ ତଦନ୍ତ କରି ଏହାର ରିପୋର୍ଟ ପ୍ରଦାନ କରିଛି।
ଏହି ମାମଲା ଜାତୀୟ ସୁରକ୍ଷା ସହିତ ଜଡ଼ିତ ବୋଲି କ୍ୟାବିନେଟ୍ ଅନୁଭବ କରିଛି। ରବିବାର ଗୌହାଟୀଠାରେ ବିଶ୍ବଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ, ଆସାମ କଂଗ୍ରେସ ସଭାପତି ଗୋଗୋଇ ୨୦୧୩ ମସିହାରେ ପଡ଼ୋଶୀ ଦେଶ ଗସ୍ତ ସମୟରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଲିମ ପାଇଥିଲେ ଏବଂ ଗୋଟିଏ ବର୍ଷ ପରେ ସେ ଲୋକସଭା ସଦସ୍ୟ ହୋଇଥିଲେ।
ଗୋଗୋଇ ଏବଂ ତାଙ୍କ ବ୍ରିଟିଶ ପତ୍ନୀ ଏଲିଜାବେଥ କଲବର୍ନ ପୂର୍ବରୁ ପାକିସ୍ତାନରେ ଏକ ଜଳବାୟୁ କାର୍ଯ୍ୟ ଗୋଷ୍ଠୀରେ ନିଯୁକ୍ତି ପାଇଥିଲେ ଏବଂ ପରେ ଭାରତକୁ ଆସିଥିଲେ। ସେମାନଙ୍କର ପାକିସ୍ତାନ ସହିତ ଗଭୀର ସମ୍ପର୍କ ରହିଛି ଓ ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଅଭିଯୋଗ କରି, ବିଶ୍ବଶର୍ମା କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଉପଯୁକ୍ତ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।
ଆସାମ ମୁଖ୍ୟମନ୍ତ୍ରୀ ଗତ ଏକ ବର୍ଷ ହେଲା ଗୋଗୋଇ ଓ ତାଙ୍କ ପତ୍ନୀଙ୍କ ପାକିସ୍ତାନ ଲିଙ୍କ ସମ୍ପର୍କରେ ଅଭିଯୋଗ କରିଆସୁଥିଲେ। ଛଅ ମାସ ପୂର୍ବରୁ ସେ ଏହାର ତଦନ୍ତ କରିବାକୁ ଏସ୍ଆଇଟି ଗଠନ କରିଥିଲେ। ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ବିଜେପି ଓ କଂଗ୍ରେସକୁ ମୁହାଁମୁହିଁ କରିଛି।

ବିଶ୍ବଶର୍ମା କହିଛନ୍ତି ଯେ, ୨୦୧୫ ମସିହାରେ ଗୋଗୋଇ କିଛି ଯୁବକଙ୍କୁ ଏକ କାର୍ଯ୍ୟକ୍ରମ ପାଇଁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସକୁ ନେଇ ଯାଉଥିବାର ଏକ ଫଟୋ ଗତ ବର୍ଷ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଏହି ମାମଲାରେ ତାଙ୍କର ଆଗ୍ରହ ଆରମ୍ଭ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗୋଗୋଇଙ୍କ ପତ୍ନୀ ମାର୍ଚ୍ଚ ୨୦୧୧ ରୁ ମାର୍ଚ୍ଚ ୨୦୧୨ ମଧ୍ୟରେ ପାକିସ୍ତାନରେ ଅବସ୍ଥାପିତ ହୋଇଥିଲେ ଏବଂ ଅଲି ତୌକିର ଶେଖ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଘନିଷ୍ଠ ଭାବରେ ଜଡିତ ଥିଲେ। ଯିଏ ଲିଡ୍ ପାକିସ୍ତାନ ନାମକ ଏକ ଥିଙ୍କ-ଟ୍ୟାଙ୍କ୍ ଏବଂ ଜଳବାୟୁ ସମ୍ବନ୍ଧିତ ସଙ୍ଗଠନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବିଶ୍ବଶର୍ମା କହିଛନ୍ତି।
ଲିଡ୍ ପାକିସ୍ତାନ ହେଉଛି କ୍ଲାଇମେଟ୍ ଆଣ୍ଡ ଡେପଲପମେଣ୍ଟ ନଲେଜ ନେଟୱାର୍କ (ସିଡିକେଏନ୍)ର ପାକିସ୍ତାନ ଶାଖା। ନେଦରଲ୍ୟାଣ୍ଡ ଏବଂ କାନାଡା ଦ୍ୱାରା ଏହି ସଙ୍ଗଠନକୁ ପାଣ୍ଠି ମିଳିଥାଏ। ଗ୍ଲୋବାଲ୍ ସାଉଥ୍ରେ ଆସୁଥିବା ଦେଶଗୁଡ଼ିକରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ଲୋକଙ୍କ ସହିତ କାମ କରେ। ଶେଖ୍ ସିଡିକେଏନ୍ର ଏସିଆ ନିର୍ଦ୍ଦେଶକ ହୋଇଥିବାବେଳେ ସଙ୍ଗଠନକୁ ଭାରତ ବିରୋଧୀ ମନ୍ତବ୍ୟ ପାଇଁ ବ୍ୟବହାର କରିଥିବା ବିଶ୍ବଶର୍ମା ଅଭିଯୋଗ କରିଛନ୍ତି।












Click it and Unblock the Notifications