ରାହୁଲଙ୍କ ନାମରେ ଏଫଆଇଆଇ ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ
ଅଡ଼ୁଆରେ ରାହୁଲ । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମର ଗୌହାଟିରେ ପ୍ରବେଶ କରିଛି । ଏହାକୁ ନେଇ ଅନେକ ବିବାଦ ଲାଗି ରହିଛି, କଂଗ୍ରେସ କର୍ମୀ ଏବଂ ଆସାମ ପୋଲିସ ମଧ୍ୟରେ ମଧ୍ୟ ସଂଘର୍ଷ ହୋଇଥିଲା । କଂଗ୍ରେସ କର୍ମୀମାନେ ପୋଲିସର ବ୍ୟାରିକେଡ ଭାଙ୍ଗିଥିଲେ। ଏହି ପ୍ରସଙ୍ଗରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଡିଜିପିଙ୍କୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ପୁଲିସ ସହ କଂଗ୍ରେସ କର୍ମୀଙ୍କ ହୋଇଥିବା ଧସ୍ତାଧସ୍ତିକୁ ନେଇ ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, 'ଏହି ମାର୍ଗ ଦେଇ ବଜରଙ୍ଗ ଦଳ ଏବଂ ଜେପି ନାଡ୍ଡାଙ୍କ ରାଲି ଅନୁଷ୍ଠିତ ହୋଇଥିଲା, କିନ୍ତୁ ସେମାନେ ଆମକୁ ଅଟକାଉଛନ୍ତି। ଆମେ କଂଗ୍ରେସ କର୍ମୀ ଶକ୍ତିଶାଳୀ, ଆମେ ବ୍ୟାରିକେଡ୍ ଭାଙ୍ଗିଛୁ, କିନ୍ତୁ ଆମେ ଆଇନ ଭାଙ୍ଗିବୁ ନାହିଁ।'
ଉଲ୍ଲେଖଯୋଗ୍ୟ, ଆଜି ପାଞ୍ଚ ହଜାରରୁ ଅଧିକ କଂଗ୍ରେସ କର୍ମୀ ଗୌହାଟିକୁ ପ୍ରବେଶ କରିଥିଲେ। ଏହି ସମୟରେ ରାସ୍ତାରୁ ଜନ ସମାଗମ ହଟାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁଲିସ କଂଗ୍ରେସ କର୍ମୀଙ୍କୁ ଅନ୍ୟ ରାସ୍ତାରେ ଯିବାକୁ କହିଥିଲା, କିନ୍ତୁ ଏହାକୁ ସେମାନେ ବିରୋଧ କରିଥିଲେ। ଫଳରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୌହାଟିରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ କଂଗ୍ରେସର ନ୍ୟାୟ ଯାତ୍ରାକୁ ବନ୍ଦ କରି ଦେଇଛି।












Click it and Unblock the Notifications