CAA ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବୟାନ, କହିଲେ ଏହାକୁ ପ୍ରତ୍ୟାହର କର , ନଚେତ...
ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ ) ସଂପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କରିଛନ୍ତି ଟାର୍ଗେଟ । ଏହାକୁ ପ୍ରତ୍ୟାହାର କରାଯିବା ଉଚିତ ବୋଲି ସେ କହିଛନ୍ତି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସମଗ୍ର ଦେଶ ଚାହୁଁଛି ଯେ, ସିଏଏ ପ୍ରତ୍ୟାହାର କରାଯାଉ । ଯଦି ବିଜେପି ରାଜି ନୁହେଁ ଏବଂ ଏହାକୁ ପ୍ରତ୍ୟାହାର ନ କରେ ତେବେ ବିଜେପି ବିରୋଧରେ ଭୋଟ୍ ଦେଇ କଡ଼ା ଜବାବ ଦିଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବୁଧବାର (ମାର୍ଚ୍ଚ ୧୩) ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଯଦି ବିଜେପି ଲୋକମାନେ ୧୦ ବର୍ଷ ମଧ୍ୟରେ କିଛି ଭଲ କାମ କରିଥାନ୍ତେ, ତେବେ ଆମକୁ ଏହା କରିବାକୁ ପଡ଼ିବ ନାହିଁ ।ଦେଶରେ ବେକାରୀ ସମସ୍ୟା ଚରମ ସୀମାରେ ରହିଛି । ଆମ ପିଲାମାନଙ୍କୁ ବିଜେପି ସରକାର ଘର ଦେଉ ନାହାଁନ୍ତି କିନ୍ତୁ ସେମାନେ ଏଠାରେ ପାକିସ୍ତାନର ଲୋକଙ୍କୁ ଘର ଦେବେ । ବିଜେପି ଏଭଳି କାହିଁକି କରୁଛି ବୋଲି ପ୍ରଶ୍ନ କରିଛନ୍ତି ଅରବିନ୍ଦ ?

ସେ ଆହୁରି କହିଛନ୍ତି ଯେ ସରକାରଙ୍କ ପାଖରେ ଭାରତର ଲୋକଙ୍କ ପାଇଁ ଟଙ୍କା ନାହିଁ । ମାତ୍ର ଏଠାରେ ପାକିସ୍ତାନ ଲୋକଙ୍କୁ ଥଇଥାନ କରିବାକୁୁ ଚାହୁଁଛନ୍ତି । ଏମାନେ ସେହି ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହାନ୍ତି । ଉକ୍ତ ଦେଶରେ ୨.୫ ରୁ ୩ କୋଟି ସଂଖ୍ୟାଲଘୁ ଅଛନ୍ତି । ୧.୫ କୋଟି ଲୋକ ଏଠାକୁ ଆସିଗଲେ ରୋଜଗାର କେଉଁଠୁ ଆସିବ? ଏହା ହେଉଛି ଭାଜପାର ଭୋଟ ବ୍ୟାଙ୍କ ରାଜନୀତି । ଯେଉଁଠାରେ ଭାଜପାର ଭୋଟ କମ, ଭବିଷ୍ୟତରେ ସେଠାରେ ଲୋକଙ୍କୁ ରଖି ଦଳ ଭୋଟ ବ୍ୟାଙ୍କ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।
କେଜ୍ରିିୱାଲ କହିଛନ୍ତି, ଭାରତର ଲୋକଙ୍କୁ ରୋଜଗାର ଦିଆଯାଉ ନାହିଁ । ପାକିସ୍ତାନର ଲୋକଙ୍କୁ ରଖିବାକୁ ଚାହୁଁଛନ୍ତି । ସିଏଏ ଦେଶ ପାଇଁ ବହୁତ ଖରାପ । ଥରେ ପ୍ରକ୍ରିୟା ଆରମ୍ଭ ହୋଇଗଲେ ଏହା ବନ୍ଦ ହେବ ନାହିଁ । ବାଂଲାଦେଶରୁ ବହୁ ସଂଖ୍ୟକ ଲୋକେ ଅନୁପ୍ରବେଶ କରିଥିବାରୁ ଉତ୍ତର-ପୂର୍ବକୁ ଏହାର ସବୁଠୁ ବଡ କ୍ଷତି ସହିବାକୁ ପଡିବ । ସେମାନଙ୍କର ଭାଷା ବିପଦରେ ଅଛି । ସମଗ୍ର ଦେଶ ସିଏଏକୁ ବିରୋଧ କରୁଛି । ଯଦି ଭାଜପା ଏହାକୁ ପ୍ରତ୍ୟାହାର ନ କରେ ତେବେ ଆପଣମାନେ ନିର୍ବାଚନରେ ଏହାର ଜବାବ ଦେବା ଉଚିତ ।












Click it and Unblock the Notifications