ମୁହଁ ଖୋଲିଲେ ସ୍ୱାତୀ, କହିଲେ ବୈଭବ ମାରିବା ବେଳେ କେଜ୍ରିୱାଲ୍ ଥିଲେ ଘରେ
ନୂଆଦିଲ୍ଲୀ: ପ୍ରଥମଥର ପାଇ ଆପ୍ ର ରାଜ୍ୟ ସଭା ଏମ୍ପି ସ୍ୱାତୀ ମାଲିୱାଲ ଏକ ସାକ୍ଷାତକାର ଦେଇଛନ୍ତି । ଏହି ସାକ୍ଷାତକାରରେ ସେ କହିଛନ୍ତି, ମେ ୧୩ ସକାଳ ପ୍ରାୟ ୯ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲି । ମୋତେ ଡ୍ରଙ୍ଗ ରୁମ୍ରେ ଅପେକ୍ଷା କରିବାକୁ କୁହାଯାଇଥିଲା । ଶୀଘ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାକ୍ଷାତ କରିବେ ବୋଲି ସୂଚନା ମିଳିଥିଲା ।
କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ପିଏସ୍ ବିଭବ କୁମାର କ୍ରୋଧାନ୍ୱିତ ହୋଇ ଡ୍ରଇଂ ରୁମ୍ରେ ପଶି ମୋ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ଅଚାନକ ୭ରୁ ୮ ଥର ଚାପୁଡ଼ା ମାରିଥିଲେ ଏବଂ ମୁଣ୍ଡକୁ ଏକ ଟେବୁଲ୍ରେ ପିଟିଦେଇଥିଲେ । ତଳେ ପଡ଼ିଯିବା ପରେ ମୋ ଛାତି ଓ ପେଟକୁ ବାରମ୍ବାର ଗୋଇଠା ମାରିଥିଲେ । ମୁଁ ଜୋରରେ ଚିଲ୍ଲାଇ ସହାୟତା ମାଗିଥିଲି । କିନ୍ତୁ କେହି ଆସି ନ ଥିଲେ । ଏ ସବୁ ଘଟଣା ମୁଖ୍ୟମନ୍ତ୍ରୀ ଘରେ ଥିଲା ବେଳେ ଘଟିଥିଲା ।"

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନରେ ମାରପିଟ ଘଟଣା ପରେ ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ନିଜ ପ୍ରଥମ ସାକ୍ଷାତକାରରେ ଆଜି ଏହା କହିଛନ୍ତି । ତେବେ ବୈଭବ ନିଜେ କିମ୍ବା କାହା ନିର୍ଦ୍ଦେଶରେ ଏଭଳି କାଣ୍ଡ ଭିଆଇଲେ ତାହା ସେ ଜାଣିନାହାନ୍ତି ଏବଂ ଏହାର ତଦନ୍ତ ହେବା ଜରୁରି ବୋଲି ସ୍ୱାତୀ କହିଛନ୍ତି ।
ସ୍ୱାତୀ କହିଛନ୍ତି, ନିରପେକ୍ଷ ତଦନ୍ତ ପାଇଁ ଦିଲ୍ଲୀ ପୁଲିସକୁ ମୁଁ ପୂର୍ଣ ସହଯୋଗ କରୁଛି । ଏହି ଘଟଣାରେ ମୁଁ କାହାକୁ କ୍ଲିନ୍ ଚିଟ୍ ଦେଉନାହିଁ । ସ୍ୱାତୀ କହିଛନ୍ତି, ମୁଁ ସବୁବେଳେ ମହିଳାମାନଙ୍କୁ ଅନ୍ୟାୟ ବିରୋଧରେ ଲଢ଼ିବାକୁ ପରାମର୍ଶ ଦେଉଥିଲି । କୌଣସି ପ୍ରକାର ଅତ୍ୟାଚାର ହେଲେ ତାହାର ବିରୋଧ କରିବାକୁ କହୁଥିଲି । ଆଜି ମୋ ସହ ଏଭଳି ଘଟଣା ଘଟିଥିବାରୁ ମୁଁ କେମିତି ଚୁପ୍ ରହିବି ? ସ୍ୱାତୀ କହିଛନ୍ତି, ଯଦି ମୋ ରାଜ୍ୟସଭା ପଦ ଦରକାର ଥିଲା ମୋତେ ସ୍ନେହରେ ମାଗିଥିଲେ ମୁଁ ଦେଇଥାନ୍ତି ।
ଏମିତି କି ଜୀବନ ବି ଦେଇଥାନ୍ତି । ସାଂସଦ ପଦ ଦେଇଦେବା ମୋ ପାଇଁ ଅତ୍ୟନ୍ତ ଛୋଟ କଥା । ଏବେ ଦୁନିଆର ଯେ କୌଣସି ଶକ୍ତି ଲାଗିପଡ଼ିଲେ ବି ମୁଁ ଇସ୍ତଫା ଦେବିନାହିଁ । ଯଦି ଘଟଣା ଦିନ ମୁଁ ଅପଶବ୍ଦ ବ୍ୟବହାର କରୁଥିଲା ବେଳେ ବିଭବ ମୋ ଭିଡିଓ ବନାଇବା କଥା କହୁଛନ୍ତି, ତେବେ ତାହାକୁ ନ ଦେଖାଇ ସେ ଡିଲିଟ୍ କରିଦେଲେ କାହିଁକି ? ମୁଁ ୨୦ ବର୍ଷ ଧରି ଏମାନଙ୍କ ସହ କାମ କରିଥିଲି । ଆଜି ମୋ ସହ କେହି ନାହାନ୍ତି । ଦଳର ଲୋକଙ୍କୁ ଡରାଇ ଧମକାଇ ଚୁପ୍ କରାଯାଉଛି । ବିଭବ ବର୍ତ୍ତମାନ କେଜ୍ରିୱାଲଙ୍କ ସବୁଠୁ ଖାସ୍ ଲୋକ ବନିଯାଇଛନ୍ତି । ତାଙ୍କ ପାଖରେ କେଜ୍ରିୱାଲଙ୍କର ଏଭଳି କି ରହସ୍ୟ ରହିଛି, ତାହାର ତଦନ୍ତ ହେବା ଜରୁରି ବୋଲି କହିଛନ୍ତି ସ୍ୱାତୀ ମାଲିୱାଲ












Click it and Unblock the Notifications