ପଞ୍ଜାବ ବିଧାୟକଙ୍କ ସହ ବୈଠକ କଲେ କେଜ୍ରିୱାଲ, ବିଜେପି କହିଲା.....
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟ ପରେ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି । ଏହି ବୈଠକରେ ଯୋଗଦେବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମେତ ୭୦ ଜଣ ବିଧାୟକ କପୁରଥଲା ହାଉସରେ ପହଞ୍ଚିଛନ୍ତି ।
ଦିଲ୍ଲୀ ବିଧାନସଭା ତ ଆପ୍ ହାରି ସାରିଛି ତାର କାରଣ ଖୋଜି ଆଉ 5 ବର୍ଷ ପରେ ସରକାରକୁ ଫେରିବାକୁ ଚେଷ୍ଟା କରିବ । ମାତ୍ର ଏବେ ଯେଉଁଠି ଆପ୍ ସରକାର ଅଛି ସେଠି ସରକାର କେମିତି ପୁନଶ୍ଚ ଜାରି ରହିବ ସେଥିପ୍ରତି ଦଳ ଧ୍ୟାନରେ ରଖି ଆଜିର ଅ ବୈଠକ ଡାକିଛି । ତେବେ 2027ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଗୁଆ ଅଣ୍ଟା ଭିଡିଛି ଆପ୍ ।
ଦଳ ଭିତରେ ଥିବା ଅନ୍ତ କନ୍ଦଳ ଏବଂ ବିଧାୟକଙ୍କ ମନୋମାଳିନ୍ୟ ଯଦି ଥାଏ ଅବା ଯଦି କେଉଁ ବିଧାୟକ ସାଂସଦ ଅନ୍ୟ ଦଳର ସମ୍ପର୍କରେ ଥାଆନ୍ତି ସେମାନଙ୍କୁ କେମିତି ବୁଝାଇ ସୁଝାଇ ରଖାଯିବ ସେନେଇ କେଜ୍ରିୱାଲ ବୈଠକ ଡାକି ଚର୍ଚ୍ଚା କରିବାର ସୂଚନା ରହିଛି । ସେପଟେ ଦିଲ୍ଲୀରେ ପଞ୍ଜାବ ମିଟିଂକୁ ନେଇ ବିରୋଧୀ କେଜ୍ରିୱାଲଙ୍କୁ କଟାକ୍ଷ କରିଛନ୍ତି । କେଜ୍ରିୱାଲ ଚୌକି ପାଇଁ ଏବେ ଦିଲ୍ଲୀରୁ ପଞ୍ଜାବ ଡେଇଁବେ ବୋଲି ଅନୁମାନ କରୁଛନ୍ତି ।

ଏହି ବୈଠକକୁ ନେଇ ବିଜେପି ସାଂସଦ ଯୋଗେନ୍ଦ୍ର ଚନ୍ଦୋଲିଆ କହିଛନ୍ତି,"ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜରିୱାଲଙ୍କ ଗର୍ବକୁ ଭାଙ୍ଗି ଦେଇଛନ୍ତି । ସେ ରିମୋଟରେ ପଞ୍ଜାବ ସରକାର ଚଳାଉଥିଲେ କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଭଗବନ୍ତ ମାନ ମୁଖ୍ୟମନ୍ତ୍ରୀ ରହିବା ଏବଂ ଆମ ଆଦମୀ ପାର୍ଟି ସରକାର ସହ ରହିବା ବହୁତ କଷ୍ଟକର । ସେପଟେ ରାଜୌରୀ ଗାର୍ଡେନ ବିଧାନସଭା ଆସନରୁ ବିଜେପିର ବିଜୟୀ ପ୍ରାର୍ଥୀ ମନଜିନ୍ଦର ସିଂହ ସିରସା କହିଛନ୍ତି,ଅରବିନ୍ଦ କେଜ୍ରିୱାଲ୍ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାର ଉପାୟ ଖୋଜୁଛନ୍ତି ।
ସେ ଦିଲ୍ଲୀରେ ହାରିଯାଇଛନ୍ତି କିନ୍ତୁ ପଞ୍ଜାବ ବିଧାୟକମାନଙ୍କର ଏକ ବୈଠକ ଡାକିଛନ୍ତି । ସେ ଦେଖାଇବାକୁ ଚାହୁଁଛନ୍ତି ଯେ ଭଗବନ୍ତ ମାନ ବିଫଳ ହୋଇଛନ୍ତି । ସେଠାରେ ଦୁର୍ନୀତି ଚାଲିଛି,ସେ ସେଠାକାର ମହିଳାମାନଙ୍କୁ ୧୦୦୦ ଟଙ୍କା ଦେଇ ପାରୁନାହାଁନ୍ତି । ଏହି ସମସ୍ତ ଦୋଷ ଭଗବନ୍ତ ମାନଙ୍କୁ ଦେଇ ବିଧାୟକମାନଙ୍କୁ କହିବେ ଯେ ପଞ୍ଜାବର ପରିସ୍ଥିତି ବହୁତ ଖରାପ ତୁମେ ପଞ୍ଜାବକୁ ବଞ୍ଚାଅ । ଏହି ସବୁ ନାଟକ କରିବାକୁ କେଜ୍ରିୱାଲ ପ୍ରସ୍ତୁତ କରୁଛନ୍ତି ।












Click it and Unblock the Notifications