ଅରୁଣାଚଳ ପ୍ରଦେଶ ଚୀନର ଅଂଶ ବୋଲି କହି ସଙ୍ଘାଇ ଏୟାରପୋର୍ଟରେ ଭାରତୀୟ ମହିଳାଙ୍କୁ ନିର୍ଯାତନା
ଅରୁଣାଚଳ ପ୍ରଦେଶ ଭାରତର ନୁହେଁ, ଚୀନର ଅଂଶ ବୋଲି କହି ଭାରତୀୟ ମହିଳାଙ୍କୁ ଅପମାନିତ କଲେ ଚୀନର ଇମିଗ୍ରେସନ ଅଫିସର। ଯାତ୍ରା ସମୟର ରହଣୀରେ ଚୀନ ଅଫିସରମାନେ ତାଙ୍କ ଭାରତୀୟ ପାସ୍ପୋର୍ଟକୁ ଗ୍ରହଣ କରି ନଥିଲେ। ଫଳରେ ଦୀର୍ଘ ୪ ଘଣ୍ଟା କାଳ ତାଙ୍କୁ ନାନା ହଇରାଣ ହରକତ ହେବାକୁ ପଡ଼ିଥିଲା ବୋଲି ଅଭିଯୋଗ କରିଛନ୍ତି ଅରୁଣାଚଳ ପ୍ରଦେଶରେ ଜନ୍ମିତ ପ୍ରେମା ୱାଙ୍ଗଜୋମ ଥୋଙ୍ଗଡକ୍ ।
ପ୍ରେମା ଆମେରିକାରେ ରୁହନ୍ତି। ସେ ନଭେମ୍ବର ୨୧ ତାରିଖରୁ ଲଣ୍ଡନରୁ ଜାପାନ ଯାଉଥିଲେ। ଯାତ୍ରା ସମୟରେ ତାଙ୍କର ସାଂଘାଇର ପୁଡୋଙ୍ଗ ଏୟାରପୋର୍ଟରେ ୩ ଘଣ୍ଟାକାଳ ଲେଓଭର(ଯାତ୍ରା ସମୟର ରହଣୀ) ହୋଇଥିଲା। ଏହି ସମୟରେ ଚୀନ ଅଫିସରମାନେ ତାଙ୍କୁ ଅପମାନିତ କରିଥିଲେ।

ସେ ଅଭିଯୋଗ କରିଛନ୍ତି ଯେ ପ୍ରେମା ୱାଙ୍ଗଜୋମ କହିଛନ୍ତି, "ଇମିଗ୍ରେସନ ପରେ ମୁଁ ମୋ ପାସପୋର୍ଟ ଦାଖଲ କରିଥିଲି। ଏହାପରେ ମୁଁ ସିକ୍ୟୁରିଟୀ ଚେକିଂର ଅପେକ୍ଷାରେ ଥିଲି। ଏତିକି ବେଳେ ଜଣେ ଅଫିସର ଆସିଥିଲେ ଓ ଚିତ୍କାର କରିଥିଲେ। ଭାରତ, ଭାରତ ଓ ମୋ ନାଁ ଉଚ୍ଚାରଣ କରିଥିଲେ। ସେ ମୋତେ ସମସ୍ତଙ୍କ ଠାରୁ ଅଲଗା କରିଦେଇଥିଲେ। ମୁଁ ପ୍ରଶ୍ନ କରିବାରୁ ମହିଳା ଅଧିକାରୀ ଜଣଙ୍କ ମୋତେ ଇମିଗ୍ରେସନ ଡେସ୍କକୁ ନେଇ ଯାଇଥିଲେ।
ସେଠାରେ ମୋତେ କହିଥିଲେ 'ଅରୁଣାଚଳ, ବୈଧ ପାସପୋର୍ଟ ନୁହେଁ।' ମୁଁ କାରଣ ପଚାରିବାରୁ ଅଧିକାରୀ ଜଣଙ୍କ କହିଥିଲେ ଯେ ଅରୁଣାଚଳ ଚାଇନାର ଅଂଶ ବିଶେଷ। ତୁମ ପାସପୋର୍ଟ ବୈଧ ନୁହେଁ।' ଏହା ଶୁଣିବା ପରେ ମୁଁ ପୂରା ସ୍ତବ୍ଧ ହୋଇଯାଇଥିଲି।"
ପ୍ରେମା ୱାଙ୍ଗଜୋମଙ୍କ କହିବା କଥା ଯେ ଗତବର୍ଷ ସେ ଏହି ବାଟ ଦେଇ ସମାନ ପାସପୋର୍ଟରେ ଯାତାୟାତ କରିଥିଲେ। ଲଣ୍ଡନରେ ଥିବା ଚାଇନିଜ ଦୂତାବାସ ସହ ମଧ୍ୟ ଏହି ପାସପୋର୍ଟରେ କୌଣସି ଅସୁବିଧା ନଥିବା କଥା ହୋଇଥିଲେ। ତଥାପି ତାଙ୍କୁ ଏୟାରପୋର୍ଟରେ ନିର୍ଯାତନା ଓ ହଇରାଣ କରାଯାଇଛି।
ଏକାଧିକ ଇମିଗ୍ରେସନ ଅଧିକାରୀ ଓ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ କର୍ମଚାରୀମାନେ ପ୍ରେମା ୱାଙ୍ଗଜୋମଙ୍କୁ କଟାକ୍ଷ କରିବା ସହ ତାଙ୍କ ଉପରେ ହସିଥିଲେ। ଏପରି କି ତାଙ୍କୁ ଚାଇନିଜ ପାସପୋର୍ଟ ପାଇଁ ଆବେଦନ କରିବାକୁ ପରିହାସ କରି ପରାମର୍ଶ ଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସ୍ୱଳ୍ପ ସମୟର ଟ୍ରାଞ୍ଜିଟ ହଲ୍ଟ ପ୍ରେମା ୱାଙ୍ଗଜୋମଙ୍କ ପାଇଁ ୧୮ ଘଣ୍ଟାର ଯନ୍ତ୍ରଣା ପାଲଟି ଯାଇଥିଲା।
ତାଙ୍କୁ ୧୮ ଘଣ୍ଟା କାଳ ଏୟାରପୋର୍ଟରେ ଅଟକ ରଖାଯାଇଥିଲା। ଏହି ସମୟରେ ତାଙ୍କୁ କିଛି ସୂଚନା ଦିଆଯାଇ ନଥିଲା। ଖାଇବା ମିଳି ନଥିଲା କିମ୍ବା ଏୟାରପୋର୍ଟରେ ଥିବା ସୁବିଧାକୁ ବ୍ୟବହାର କରିବାକୁ ଦିଆଯାଇ ନଥିଲା। ତାଙ୍କ ପାସପୋର୍ଟ ଉପରେ ରୋକ ଲଗାଯିବା ସହ ତାଙ୍କୁ ସେଠାରୁ ବୈଧ ଭିସା ସତ୍ତ୍ୱେ ଜାପାନ ଯିବାକୁ ଅନୁମତି ମିଳି ନଥିଲା। ତାଙ୍କୁ ଟ୍ରାଞ୍ଜିଟ ଅଞ୍ଚଳରେ ଏକପ୍ରକାରର ବନ୍ଦୀ କରାଯାଇଥିଲା। ଅଧିକାରୀମାନେ ତାଙ୍କୁ ସ୍ୱତନ୍ତ୍ର ଭାବେ ଚାଇନା ଇଷ୍ଟର୍ଣ୍ଣରୁ ନୂଆ ଟିକେଟ କିଣିବାକୁ ମଧ୍ୟ ବାଧ୍ୟ କରିଥିଲେ। ନୂଆ ଟିକେଟ କରିବା ପରେ ପାସପୋର୍ଟ ମିଳିବ ବୋଲି ସର୍ତ୍ତ ରଖିଥିଲେ। ଏଥିଯୋଗୁ ସେ ବିମାନ ମିସ କରିବା ସହ ହୋଟେଲ ବୁକିଂର ଘାଟା ସହିଥିଲେ।
ଶେଷରେ ପ୍ରେମା ୱାଙ୍ଗଜୋମ ବ୍ରିଟେନରେ ଥିବା ତାଙ୍କର ଜଣେ ବନ୍ଧୁଙ୍କ ଜରିଆରେ ସଙ୍ଘାଇରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ସହ ଯୋଗଯୋଗ କରିଥିଲେ। ଖବର ପାଇ ବିଳମ୍ବିତ ରାତିରେ ଭାରତୀୟ ଅଧିକାରୀମାନେ ସେଠାରେ ପହଞ୍ଚି ପ୍ରେମା ୱାଙ୍ଗଜୋମଙ୍କୁ ଚାଇନିଜ ସହରରୁ ବାହାରକୁ ପଠାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ କରିଥିବା ଚିଠିରେ ପ୍ରେମା ସିଧାସଳଖ କହିଛନ୍ତି ଯେ ସେ ସାମ୍ନା କରିଥିବା ନିର୍ଯାତନା ଭାରତର ସାର୍ବଭୌମତ୍ୱ ଓ ଅରୁଣାଚଳ ପ୍ରଦେଶର ଲୋକଙ୍କ ପ୍ରତି ଅପମାନ। ଏଥିପାଇଁ ସରକାର ବେଜିଂ(China) ଆଗରେ ଏହି ପ୍ରସଙ୍ଗ ଉଠାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।












Click it and Unblock the Notifications