ଧାରା ୩୭୦ ଉଚ୍ଛେଦକୁ ଭିତିରିଆ ସମର୍ଥନ କରିଥିଲେ ଫାରୁକ୍!
ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ଉଚ୍ଛେଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଭିତିରିଆ ସମର୍ଥନ କରିଥିଲେ କିନ୍ତୁ ଏହାକୁ ସର୍ବସାଧାରଣରେ ଲୋକ ଦେଖାଣିଆ ବିରୋଧ କରିଥିଲେ। ଭାରତର ଗୁଇନ୍ଦା ସଂସ୍ଥା 'ର'ର ପୂର୍ବତନ ମୁଖ୍ୟ ଏଏସ୍ ଦୁଲତ ତାଙ୍କ ନୂଆ ପୁସ୍ତକ 'ଦ ଚିଫ୍ ମିନିଷ୍ଟର ଆଣ୍ଡ୍ ଦ ସ୍ପାଇ' (ମୁଖ୍ୟମନ୍ତ୍ରୀ ଓ ଗୁପ୍ତଚର)ରେ ଏପରି ଦାବି କରିଛନ୍ତି।
ପ୍ରକାଶିତ ଖବର ଅନୁଯାୟୀ, ଫାରୁକ ଅବଦୁଲ୍ଲା ସାର୍ବଜନୀନ ଭାଷଣରେ ଧାରା ୩୭୦ ଉଚ୍ଛେଦ ପାଇଁ ଏନ୍ଡିଏ ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରିଥିଲେ, କିନ୍ତୁ ସେ ବ୍ୟକ୍ତିଗତ ଭାବରେ ଏହାକୁ ସମର୍ଥନ କରିଥିଲେ ବୋଲି ଦୁଲତଙ୍କ ପୁସ୍ତକରେ ଦାବି କରାଯାଇଛି। 'ଆମେ ପ୍ରସ୍ତାବ ପାରିତ କରିବାରେ ସାହାଯ୍ୟ କରିଥାନ୍ତୁ।

ଆମକୁ କାହିଁକି ବିଶ୍ୱାସକୁ ନିଆଗଲା ନାହିଁ' ବୋଲି ଅବଦୁଲ୍ଲା କୁଆଡ଼େ ପୂର୍ବତନ 'ର' ମୁଖ୍ୟଙ୍କୁ ପଚାରିଥିଲେ ବୋଲି ରିପୋର୍ଟରେ କୁହାଯାଇଛି। ସଂସଦରେ ବିଲ୍ ଆଗତ ହେବା ପୂର୍ବରୁ ଫାରୁକ୍ ଅବଦୁଲ୍ଲା, ତାଙ୍କ ପୁଅ ଓମାର ଅବଦୁଲ୍ଲା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦିଲ୍ଲୀରେ ଏକ ବ୍ୟକ୍ତିଗତ ବୈଠକ ବିଷୟରେ ମଧ୍ୟ ଦୁଲତ ଉଲ୍ଲେଖ କରିଛନ୍ତି। ତେବେ ନ୍ୟାସନାଲ କନ୍ଫରେନ୍ସ ପକ୍ଷରୁ ପୂର୍ବତନ 'ର' ମୁଖ୍ୟଙ୍କ ଦାବିକୁ ଖଣ୍ଡନ କରାଯାଇଛି। ଏନ୍ସି ମୁଖପାତ୍ର ତନବୀର ସାଦିକ କହିଛନ୍ତି, ପୁସ୍ତକରେ ଦର୍ଶାଯାଇଥିବା ବୟାନରେ ବିରୋଧାଭାସ ରହିଛି।
ପୂର୍ବତନ 'ର' ମୁଖ୍ୟ 'ପ୍ରାସଙ୍ଗିକତା ଚାହୁଛନ୍ତି' ଏବଂ 'ତାଙ୍କ ପୁସ୍ତକକୁ ସମ୍ବେଦନଶୀଳ କରିବାକୁ ଚାହୁଛନ୍ତି' ବୋଲି ସାଦିକ କହିଛନ୍ତି। ଅପରପକ୍ଷେ ଜମ୍ମୁ-କଶ୍ମୀର ପିପୁଲ୍ସ କନଫରେନ୍ସ ମୁଖ୍ୟ ସଜାଦ ଲୋନ ଏନ୍ସିକୁ ଟାର୍ଗେଟ କରି କହିଛନ୍ତି, ପୂର୍ବତନ 'ର' ମୁଖ୍ୟଙ୍କ କଥା ଅତ୍ୟନ୍ତ ବିଶ୍ୱସନୀୟ ଏବଂ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅବଦୁଲ୍ଲାଙ୍କ ଘନିଷ୍ଠ ସହଯୋଗୀ ଓ ବନ୍ଧୁ। ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୫ ତାରିଖରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିଥିଲେ।












Click it and Unblock the Notifications