ଏକାଥରକେ ୧୦ ବିମାନକୁ ବୋମା ଧମକ, ଆକ୍ସନ ମୋଡରେ DGCA
ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ ଅନେକ ଭାରତୀୟ ବିମାନକୁ ବୋମା ଧମକ ମିଳିଥିବା ବେଳେ କେବଳ ୨୪ ଘଣ୍ଟା ମଧ୍ୟରେ ୧୦ରୁ ଅଧିକ ବିମାନକୁ ଧମକ ମିଳିଛି। ଏହା ସହ ସପ୍ତାହ ମଧ୍ୟରେ ୭୦ଟି ହୋକ୍ସ କଲ୍ ମିଳିଛି। ଏବେ ପୁଣି ଥରେ ଏକାଥରେ ୧୦ଟି ଭିନ୍ନ ଭିନ୍ନ ବିମାନରେ ବୋମା ଥିବା ଧମକ ମିଳିଛି। ୫ଟି ଇଣ୍ଡିଗୋ ଏବଂ ୫ଟି ଆକାସା ଏୟାରଲାଇନ୍ସର ବିମାନକୁ ବୋମା ଧମକ ମିଳିଛି । ବୋମା ଧମକ ମିଳିବା ପରେ ବିମାନ ଚଳାଚଳ କ୍ଷେତ୍ରରେ ଆତଙ୍କ ଦେଖାଦେଇଛି । ସମସ୍ତ ବିମାନକୁ ଜରୁରୀ ଅବତରଣ କରାଯାଇଛି । ସମସ୍ତ ବିମାନର ଯାଞ୍ଚ ଚାଲିଛି ।
ଏନେଇ ଇଣ୍ଡିଗୋ ଦୁଇଟି ବିମାନ ପାଇଁ ବୟାନ ଜାରି କରିଛି । ବୟାନରେ ଇଣ୍ଡିଗୋ କହିଛି କି, ମୁମ୍ବାଇରୁ ଇସ୍ତାନବୁଲ ଯାଉଥିବା 6E 17 ଇଣ୍ଡିଗୋ ବିମାନରେ ବୋମା ଧମକ ମିଳିବା ପରେ ଦିଲ୍ଲୀରେ ଜରୁରୀ ଅବତରଣ କରାଯାଇଛି । ଯାତ୍ରୀ ଏବଂ ଚାଳକ ଦଳ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଇଣ୍ଡିଗୋ କହିଛି । ସେହିପରି ଦିଲ୍ଲୀରୁ ଇସ୍ତାନବୁଲ ଯାଉଥିବା 6E ୧୧ ଇଣ୍ଡିଗୋ ବିମାନରେ ବୋମା ଧମକ ମିଳିବା ପରେ ଦିଲ୍ଲୀରେ ଜରୁରୀ ଅବତରଣ କରାଯାଇଛି ।

କହିରଖୁ ଯେ, ସୋମବାର ଠାରୁ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ବିମାନକୁ ବୋମାରେ ଉଡାଇ ଦେବାକୁ ନେଇ ଧମକ ମିଳିସାରିଲାଣି। ଆଜି ସକାଳେ ଏୟାର ଇଣ୍ଡିଆ ଓ ବିସ୍ତାରା ଏୟାରଲାଇନ୍ସକୁ ମଧ୍ୟ ବୋମା ଧମକ ମିଳିଥିଲା। ଫଳରେ ଏହି ଦୁଇଟି ବିମାନର ଗତିକୁ ଡାଇଭର୍ଟ କରି ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ତେବେ ପଛରେ ଏହା ଫେକ୍ କଲ୍ ବୋଲି ଜଣାପଡିଥିଲା। ସେପଟେ ଡିଜିସିଏ ସମସ୍ତ ଧମକପୂର୍ଣ୍ଣ କଲ୍ ଉପରେ ନଜର ରଖିଛି। ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ଅପରାଧୀଙ୍କୁ 'ନୋ-ଫ୍ଲାଏ' ତାଲିକାରେ ରଖିବା ସହିତ କଡା ନିୟମ ଲାଗୁ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୋଜନା କରୁଛି।












Click it and Unblock the Notifications