ଭାରତୀୟ ସେନାକୁ ମିଳିବ ଆପାଚେ ହେଲିକପ୍ଟର
୧୫ ମାସରୁ ଅଧିକ ବିଳମ୍ବ ପରେ ଭାରତୀୟ ସେନା ଆସନ୍ତା ଜୁଲାଇ ୨୨ ତାରିଖରେ ପ୍ରଥମ ବ୍ୟାଚରେ ତିନୋଟି ଆପାଚେ AH-64E ଲଢୁଆ ହେଲିକପ୍ଟର ଗ୍ରହଣ କରିବାକୁ ଯାଉଛି। ଏହା ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ପଶ୍ଚିମ ସୀମାରେ ସେନାର ଯୁଦ୍ଧ କ୍ଷମତାକୁ ଶକ୍ତିଶାଳୀ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସୂଚନା ମିଳିଛି।
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତୀୟ ସେନା ୬ଟି ଆପାଚି ହେଲିକପ୍ଟର ଆଣିବା ପାଇଁ ୬୦୦ ନିୟୁତ ଡଲାରର ରାଜିନାମା ସ୍ବାକ୍ଷର କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୪ ମେ ଏବଂ ଜୁନ୍ ମାସରେ ଏହା ଭାରତୀୟ ସେନାକୁ ମିଳିବ ବୋଲି ଆଶା ରଖାଯାଇଥିଲା। କିନ୍ତୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ସହିତ ଅନ୍ୟାନ୍ୟ ଅସୁବିଧା କାରଣରୁ ଏହା ମିଳିବା ବିଳମ୍ବ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୪ ଡିସେମ୍ବରକୁ ଏହି ସମୟସୀମା ଘୁଞ୍ଚିଥିଲା।
ମୂଳ ଯୋଜନା ଅନୁଯାୟୀ, ଦୁଇଟି ପର୍ଯ୍ୟାୟରେ ୩ଟି ଲେଖାଏଁ ହେଲିକପ୍ଟର ଆସିବା ନେଇ ଯୋଜନା ରହିଥିଲା। ଦ୍ବିତୀୟ ପର୍ଯ୍ୟାୟ ହେଲିକପ୍ଟର ଚଳିତବର୍ଷ ମିଳିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ହେଲିକପ୍ଟର ମିଳିବ। ବର୍ଷ ଶେଷ ଆଡ଼କୁ ଦ୍ବିତୀୟ ପର୍ଯ୍ୟାୟ ଆପାଚି ହେଲିକପ୍ଟର ମିଳିବା ଆଶା ରହିଛି।

ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚରେ ସ୍ଥଳ ସେନା ପକ୍ଷରୁ ଯୋଧପୁରର ନାଗତାଲାଓଠାରେ ପ୍ରଥମ ଆପାଚି ସ୍କ୍ବାଡ୍ରନ ସ୍ଥାପନ କରାଯାଇଛି। ପାଇଲଟ୍ ଏବଂ ଗ୍ରାଉଣ୍ଡ୍ ଷ୍ଟାଫ୍ମାନଙ୍କୁ ହେଲିକପ୍ଟର ଚାଳନା ପାଇଁ ଆବଶ୍ୟକ ତାଲିମ ଏଠାରେ ପ୍ରଦାନ କରାଯାଇଛି। କିନ୍ତୁ ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ଏହି ଲଢ଼ୁଆ ହେଲିକପ୍ଟର ମିଳିପାରି ନାହିଁ।
ଦେଶର ପଶ୍ଚିମଭାଗରେ ବିପଦ ଥିଲେ ମଧ୍ୟ ସେନାକୁ କ୍ଷମତା ବଢ଼ାଇବା କ୍ଷେତ୍ରରେ ବହୁ ବିଳମ୍ବ ହୋଇଛି। ଆପାଚି ଏଏଚ୍-୬୪ଇ ହେଲିକପ୍ଟରଗୁଡ଼ିକ ସେମାନଙ୍କ ସ୍ଫୂର୍ତ୍ତି, ଗୋଳାମାଡ଼ ଏବଂ ଅତ୍ୟାଧୁନିକ ଟାର୍ଗେଟ୍ ବ୍ୟବସ୍ଥା ପାଇଁ ବେଶ୍ ପରିଚିତ। ସେନାରେ ଏହାକୁ ସାମିଲ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ବିଶେଷକରି ଅପରେସନ୍ ସିନ୍ଦୂର ପରେ ଏହାର ଗୁରୁତ୍ବ ବୃଦ୍ଧି ପାଇଛି। ୨୦୧୫ ମସିହାର ଏକ ରାଜିନାମା ଅନୁଯାୟୀ, ଭାରତୀୟ ବାୟୁସେନାରେ ପୂର୍ବରୁ ୨୨ଟି ଆପାଚି ହେଲିକପ୍ଟର ସାମିଲ ହୋଇ ସାରିଥିଲେ ମଧ୍ୟ ସ୍ଥଳ ସେନାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସାମିଲ ହୋଇ ପାରିନାହିଁ। ଏହି ହେଲିକପ୍ଟର ଦ୍ବାରା ସ୍ଥଳସେନାର କ୍ଷମତା ବୃଦ୍ଧି ପାଇବ।












Click it and Unblock the Notifications